ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ଥାନାରେ ଏତଲା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବିଦ୍ୟୁତ ବିଭାଗର ଜନୈକ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ଆକ୍ରମଣ କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ସହରର ପୁରୁଣା ବସଷ୍ଟାଣ୍ଡ ବିଦ୍ୟୁତ କ୍ୟାମ୍ପ ଅଫିସରେ ପୈାରାଚଂଳ ଅନ୍ତର୍ଗତ ୧୬ନମ୍ବର ୱାର୍ଡ ଫକିରାବାଦର ସେକ ଅଲ୍ଲୀ ଆକବରଙ୍କ ପୁଅ ୧ନମ୍ବର ବିଦ୍ୟୁତ ସେକସନ ଅଧିନରେ କାର୍ଯ୍ୟରତ ଲାଇନମ୍ୟାନ ସେଖ ଇଫତେଖାର ଅଲ୍ଲୀ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ଏକା ଡ୍ୟୁଟିରେ ଥିବା ବେଳେ ନସଡିପୁର ଗ୍ରାମର ଗୈାରାଙ୍ଗ କରଙ୍କ ପୁଅ ସରୋଜ କର ହଠାତ ପହଁଚି କ୍ୟାମ୍ପ ଅଫିସ ଭିତରକୁ ପଶିଆସି ତାଙ୍କ ଘର ବିଦ୍ୟୁତ କନେକସନର ଫେଜ ବଦଳାଇବାକୁ କହିଥିଲେ । କୋଭିଡ -୧୯ ସମୟରେ କମ କର୍ମଚାରୀ ଦାୟୀତ୍ୱରେ ରହୁଥିବାରୁ ଅନ୍ୟ କର୍ମଚାରୀ ଆସିଲେ ଲାଇନମ୍ୟାନ ଇଫତେଖାର ତାଙ୍କ ଘରକୁ ଯାଇ ଅଭିଯୋଗର ସମାଧାନ କରିବେ ବୋଲି କହିଥିଲେ । ସରୋଜ ତାଙ୍କୁ ଏକୁଟିଆ ଯିବାକୁ ବାଧ୍ୟ କରିବାରୁ ଇଫତେଖାର ସୁରକ୍ଷା ଦୃଷ୍ଟିରୁ ଏକା ଯାଇ କାମ କରିବା ସମ୍ଭବ ନୁହେଁ ବୋଲି କହିବାରେ ସରୋଜ ପ୍ରଥମେ କ୍ୟାମ୍ପ ଅଫିସର କବାଟକୁ ଗୋଇଠାମାରି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଇଫତେଖାରଙ୍କୁ ଗୋଇଠା,ଚାପୁଡା ମାରିବା ସହିତ ତାଙ୍କ ତଂଟି ଚିପିଦେଇ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ ଓ ତାଙ୍କୁ କ୍ୟାମ୍ପ ଅଫିସ ଭିତରେ ଥିବା ଲାଇନ ଫ୍ୟୁଜ ପ୍ୟାନେଲ ଉପରକୁ ଫିଙ୍ଗିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି । ଇଫତେଖାର ଜୀବନ ବଚାଂଇ ବାହାରକୁ ପଳାଇ ଆସିବା ପରେ ସରୋଜ ତାଙ୍କୁ ଗୋଡାଇ ଗୋଡାଇ ଯୁକ୍ତିତର୍କ କରୁଥିବା ସମୟରେ ଅନ୍ୟ ଜଣେ ଭଦ୍ରଲୋକ ତାଙ୍କୁ ବାରଣ କରିବାରେ ସେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରି ଧକ୍କା ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଏତଦଭିନ୍ନ ଇଫତେଖାରଙ୍କ ନାମରେ ମିଥ୍ୟା ମାମଲା କରିବେ ବୋଲି ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଇଫତେଖାର ୧ନମ୍ବର ବିଦ୍ୟୁତ ସେକସନର ସହକାରୀ ପ୍ରବନ୍ଧକଙ୍କୁ ଲିଖିତ ଭାବେ ଜଣାଇବା ପରେ ସଂପୃକ୍ତ ଅଧିକାରୀ ତାଙ୍କ ଅଭିଯୋଗକୁ ଟାଉନ ଥାନା ଅଧିକାରୀଙ୍କୁ ପଠାଇ ସେହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଥିବା ସୂଚନା ମିଳିଛି । ଏହି ଅଭିଯୋଗ ଉପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ