ବିଧାୟକଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ୫ଟି ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି I ଆଜି ପ୍ରଥମେ ବିଧାୟକ ଶ୍ରୀ ସ୍ଵାଇଁ,ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି, ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରା, କନିଷ୍ଠ ଯନ୍ତ୍ରୀ ନବୀନ ମାଝୀଙ୍କ ସମେତ ବ୍ଳକ୍ ଅନ୍ୟାନ୍ୟ ପଦାଧିକାରୀ ମାନେ ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଶୈକ୍ଷିକ ଏବଂ ଅଣ ଶୈକ୍ଷିକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ I ଏହାପରେ ସେମାନେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ସ୍ମାର୍ଟ୍ ଶ୍ରେଣୀ ପ୍ରକୋଷ୍ଟ, ଖେଳପଡ଼ିଆ, ବିଜ୍ଞାନାଗାର,ପାଠାଗାର ପ୍ରଭୃତିର ଅନୂଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ସମ୍ପର୍କିତ ବାର୍ତ୍ତଳାପ କରି ଖୁସି ପ୍ରକଟ କରିଥିଲେ I ଖୁବ୍ ଶୀଘ୍ର ଏହି ବିଦ୍ୟାଳୟକୁ ଶିକ୍ଷାର ଏକ ଉତ୍କୃଷ୍ଟ କେନ୍ଦ୍ର ଭାବେ ପରିଣତ କରିବାକୁ ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃ୍ତି ଦେଇଥିଲେ I ବିଧାୟକଙ୍କ ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ


