ବିଭାଗୀୟ ପ୍ରଶାସନ ଶୁଣିଲାନି;ଗ୍ରାମବାସୀ ନିର୍ମାଣ କଲେ କାଠ ପୋଲ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନ ଆଗରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଗ୍ରାମବାସୀଙ୍କ ଗୁହାରୀ କେହି ଶୁଣିଲେନାହିଁ। ଯାହାଫଳରେ ଶେଷରେ ଗ୍ରାମବାସୀ ମାନେ ନିଜର ଯାତାୟାତ ପାଇଁ ପୋଲ ନିର୍ମାଣ କରିଛନ୍ତି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସୋନପୁର ପଂଚାୟତର କୁଟିମାହା ଗ୍ରାମରେ। ଏହି ଗ୍ରାମରେ ପ୍ରାୟ  ୪୦ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତା ନଥିବାବେଳେ ଗ୍ରାମରେ ବିଜୁଳି ସେବା ସାତସପନ ପାଲଟିଯାଇଛି। ଗ୍ରାମପଂଚାୟତଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଏହି ଗ୍ରାମବାସୀମାନେ କାଦରେ ଭର୍ତ୍ତି ରାସ୍ତାରେ ଯାତାୟାତ କରୁଛନ୍ତି। ଗ୍ରାମ ନିକଟରେ ଏକ ନଦୀଟିଏ ଥିବାରୁ ବାରମ୍ବାର ଦାବି ପରେ ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣ ହେବାର କିଛି ମାସ ମଧ୍ୟରେ ପୋଲର ସାଇଡୱାଲ୍‍ ବର୍ଷା ପାଣିରେ ଧୋଇ ହୋଇଯିବାରୁ ଗ୍ରାମବାସୀମାନେ ପୋଲ ଉପରେ ଏକ କାଠଗଣ୍ଡି ପକାଇ ଯିବା ଆସିବା କରୁଥିଲେ। ଗ୍ରାମବାସୀମାନେ ପୋଲ ଉପର ଦେଇ ଯିବା ଆସିବାର ସୁବିଧା କରିବା ପାଇଁ ସ୍ଥାନୀୟ ସରପଂଚ କେଶବସେନ ମୁଠାମାଝୀଙ୍କ ସମେତ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିବା ସତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ତେବେ କୋଭିଡ଼ ଆଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କେହି ପ୍ରଶସାନିକ ଅଧିକାରୀ ଗସ୍ତରେ ଯାଇନଥିବାବେଳେ ଖବର ପ୍ରକାଶ ପରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବା ନେଇ ଦାରିଙ୍ଗବାଡ଼ିରେ ଲୋକଙ୍କ ଯାତାୟତ ଭଳି ମୌଳିକ ସମସ୍ୟା ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁଜ ବୈଦ୍ୟ ସଂଗଠନ କୁଟିମାହା ଗ୍ରାମରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଦେଶିୟ ଉପାୟରେ ପୋଲ ନିର୍ମାଣ କରିବା ନେଇ କାମ ଆରମ୍ଭ କରିଥିଲେ। ବର୍ଷା ପାଣିରେ ଧୋଇ ହୋଇଯାଇଥିବା ପୋଲର ସାଇଡୱାଲ ପାର୍ଶ୍ବରେ ସଂଗଠନ ତରଫରୁ କାଠ ସାହାଯ୍ୟରେ ପୋଲ ଉପରେ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଏହି କାର୍ଯ୍ୟରେ ଗ୍ରାମର ସୁନାସିଂ ପ୍ରଧାନ, ଲୁସିନ୍ଦ୍ର ପ୍ରଧାନ, ଉଜଲ ପ୍ରଧାନଙ୍କ ସମେତ ଗ୍ରାମର ପୁରୁଷ ଓ ମହିଳାମାନେ ସାମିଲ ହୋଇଥିବାବେଳେ ସଂଗଠନର ସମ୍ପାଦକ ଦୀନବନ୍ଧୁ ମହାରଣା ସହାୟତାର ହାତ ବଢ଼ାଇଥିବାବେଳେ ସଂଗଠନର କର୍ମଚାରୀ ବର୍ଣ୍ଣବା ପ୍ରଧାନ, ଯୋଶବନ୍ତ ପ୍ରଧାନ ଓ ବିବିନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ