ବିଭିନ୍ନ ସ୍ଥାନରୁ ଲୁଟ୍ ଘଟଣାରେ ୧ ଗିରଫ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ପୁଲିସ କୁ ମିଳିଛି ବଡ ସଫଳତା । ଭଞ୍ଜନଗର, ଛତ୍ରପୁର ଏବଂ ରମ୍ଭା ଥାନା ଅଧୀନ ଚୋରୀ ଓ ଲୁଟ୍ ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତା ଠାରୁ ୭କିଲୋ ୨୦୦ଗ୍ରାମ ରୂପା ଅଳଙ୍କାର ସହ ଗୋଟିଏ ମୋଟର ସାଇକେଲ ଜବତ ଓ ୪୯ହଜାରଟଙ୍କା ଜବତ କରିଛି । ଭଞ୍ଜନଗର ଓ ଛତ୍ରପୁର ଥାନା ଅଧୀନ ତିନିଜଣ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧୬ କିଲୋ ରୂପା ଚୋରୀ ହୋଇଥିବା ବେଳେ ୭.୨୦୦ କିଲୋ ରୂପା ଜବତ ହୋଇଛି । ସେହିପରି ରମ୍ଭା ଥାନା ଅଧୀନ ସାଇକେଲ ଆରୋହୀଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ୍ ଘଟଣାରେ ପୁଲିସକୁ ଶତପ୍ରତିଶତ ସଫଳତା ହାସଲ ହୋଇଛି । ସମସ୍ତ ଘଟଣାରେ ସଂପୃକ୍ତି ଥିବା ଆସିକା ଥାନା ବରଗାଁ ଗ୍ରାମର ଏ.ଶେଖର(୨୯) ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ତା’ଠାରୁ ୭.୨୦୦ କିଲୋ ରୂପା ଓ ୪୯ ହଜାର ଟଙ୍କା ଏବଂ ଏକ ପଲସର୍ ବାଇକ୍ ପୁଲିସ ଜବତ କରିଛି । ଏନେଇ ଶନିବାର ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଏବଂ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ମିଳିତ ଉଦ୍ୟମରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ । ଏହି ସମସ୍ତ ଘଟଣାରେ ସଂପକ୍ତ ଥିବା ବାକି ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିସାରିଛି ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ରାଏ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ଓ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଭଞ୍ଜନଗର ଥାନା ଅଧୀନ ଉଧୁପୁର ଗ୍ରାମର ଲକ୍ଷ୍ମଣ ଦାସ ନାମକ ଜଣେ ବ୍ୟବସାୟୀ କୋକୋଳୁଣ୍ଡା ଗାଁକୁ ବେପାର ପାଇଁ ଯାଉଥିବା ବେଳେ ରାସ୍ତାରେ ଚଳିତ ମାସ ୧୪ ତାରିଖରେ ୭/୮ କିଲୋ ରୂପା ଲୁଟ୍ ହୋଇଥିଲା । ଅଭିଯୋଗ କ୍ରମେ ୨୯୦/୧୯ କେସ୍ରେ ପୁଲିସ ତଦନ୍ତ ଜାରି ରଖିଥିଲା । ଗିରଫ ଅଭିଯୁକ୍ତ ଠାରୁ ବ୍ୟବସାୟୀଙ୍କ ୬ କିଲୋ ୭୦୦ ଗ୍ରାମ ରୂପା ଜବତ ହୋଇଥିଲା । ସେହିପରି ଛତ୍ରପୁର ଥାନା ଅଧୀନ ୪୦/୧୯ ମାମଲାର ଗତ ମାର୍ଚ୍ଚ ୬ ତାରିଖରେ ସ୍ଥାନୀୟ ରାମନଗର ୫ମ ଲାଇନ୍ରେ ଦାମଦୋରପୁର ଗ୍ରାମର କଣ୍ଡରୁ ନାୟକଙ୍କ ଠାରୁ ୪କିଲୋ ରୂପା ଚୋରୀ ଘଟଣାରେ ଏହି ଅଭିଯୁକ୍ତ ଠାରୁ ୪୦୦ ଗ୍ରାମ ରୂପା ଜବତ ହୋଇଥିବା ବେଳେ ୨୦୬/୧୯ କେସ୍ ଅନୁସାରେ ଅଗଷ୍ଟ ମାସ ୨୮ ତାରିଖରେ ମୁନିଷିପେଣ୍ଠ ଗ୍ରାମ ଠାରେ ଲଣ୍ଡାବାଉଁଶ ଗ୍ରାମର ସିମାଞ୍ଚଳ ସାହୁଙ୍କ ୪.୮୦୦ କିଲୋ ରୂପା ଚୋରୀ ଘଟଣାରେ ଅଭିଯୁକ୍ତ ଠାରୁ ୧୦୦ ଗ୍ରାମ ରୂପା ଜବତ ହୋଇଛି । ସେହିପରି ରମ୍ଭା ଥାନା ଅଧୀନ ଚଳିତ ମାସ ୬ ତାରିଖ ୧୭୭/୧୯ ଏକ ମାମଲାର ରମ୍ଭା ରେଳ ଫାଟକ ନିକଟରେ ସାବୁଳିଆ ଗ୍ରାମର ସାଇକେଲ ଆରୋହୀ ଇନ୍ଦ୍ରମଣୀ ଦଳାଇଙ୍କ ଉପରକୁ ବାନ୍ତି କରି ତାଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ୍ ଘଟଣାରେ ଅଭିଯୁକ୍ତ ଶେଖର ଠାରୁ ସମସ୍ତ ଟଙ୍କା ଜବତ ହୋଇଛି ବୋଲି ସୂଚନା ମିଳିଛି ।


