ବିଶିଷ୍ଟ ହସ୍ତଶିଳ୍ପୀ,ବାଦ୍ୟକାର, ନାଟ୍ୟଗୁରୁ ମହେଶ୍ୱର ମହାରଣାଙ୍କ ପରଲୋକ
ବେଲଗୁଣ୍ଠା- ଓଡ଼ିଶାର ସୁନାମଧନ୍ୟ ହସ୍ତଶିଳ୍ପୀ,ବାଦ୍ୟକାର, ନାଟ୍ୟକାର, ଓଡିଶୀ ଗୁରୁ,କାଷ୍ଠ ନିର୍ମିତ ମାଛ ତଥା ବିଭିନ୍ନ କାରୁକାର୍ୟ୍ୟର ବିନ୍ଧାଣି ମହେଶ୍ୱର ମହାରଣାଙ୍କ ଗତ ଗୁରୁବାର ରାତି ୧୦ଟାରେ ବେଲଗୁଣ୍ଠା ବାସଭବନରେ ପରଲୋକ ଘଟିଛି ।ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳଯାଇଛି ।ସ୍ୱର୍ଗତ ମହାରଣା ୬/୫/୧୯୪୧ ରେ ପାଲକଷଣ୍ଢା ଠାରେ ଜନ୍ମଗ୍ରହଣ କରିଥିଲେ ।ମହେଶ୍ବର ପିତା ହାଡୁ ମହାରଣାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ।ବିବାହ ପରେ ସପରିବାର ବେଲଗୁଣ୍ଠା ଆସି ରହିଥିଲେ ।୧୭ ବର୍ଷ ଵୟସରେ ନିଜ ପିତାଙ୍କ ଠାରୁ ଦାସକାଠିଆ ଶିକ୍ଷା କରିଥିଲେ ।କୌଣସି ଗୁରୁଙ୍କ ଠାରୁ ଶିକ୍ଷା ନ ନେଇ ତବଲା, ହାରମୋନିୟମ,ମୃଦଙ୍ଗ ଇତ୍ୟାଦି ସୁନ୍ଦର ଭାବେ ବଜାଇପାରଥିଲେ ।ଏପରି ବହୁ ପ୍ରତିଭାର ଅଧିକାରୀ ସ୍ୱର୍ଗତ ମହାରଣା ନିଜର ସୁକ୍ଷ୍ମ କାରକାର୍ୟ୍ୟର ହସ୍ତଶିଳ୍ପ ପାଇଁ ଓଡ଼ିଶା ତଥା ଓଡିଶା ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ତାଙ୍କ କାରଗରୀର ସ୍ୱତନ୍ତ୍ରତା ବହନ କରୁଥିବା ତଥା ସେ ନିଜେ ଉଦ୍ଭାବନ କରିଥିବା କାଠ ତିଆରି ମାଛ,ଗୁଆରେ ତିଆରି ବିଭିନ୍ନ କାରକାର୍ୟ୍ୟ,ବାଉଁଶ ତିଆରି ମୁର୍ତ୍ତି, କାଗଜ ମୁଖା ଇତ୍ୟାଦି ତିଆରି କରି ନିଜର ପ୍ରତିଭା ପ୍ରତିପାଦନ କରି ବିଭିନ୍ନ ଅଞ୍ଚଳରୁ ପ୍ରଶଂସା ସାଉଁଟି ଥିଲେ ।ତାଙ୍କର କାଠ ତିଆରି ମାଛ ପାଇଁ ୧୯୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ୧୯୮୫ ମସିହାରେ ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇଥିଲେ ।ଜଣେ ଓଡିଶୀ ନୃତ୍ୟଗୁରୁ ହିସାବରେ ଖ୍ୟାତି ଅର୍ଜନ କରି ଓଡିଶୀ ନାଟ୍ୟ ଏକାଡେମୀର ଗୁରୁ ରହିଆସିଥିଲେ ।ଜଣେ ନୃତ୍ୟଗୁରୁ,ନାଟ୍ୟକାର,କାଷ୍ଠ ଶିଳ୍ପୀ,ବାଦ୍ୟକାର, ଦାସକାଠିଆ ଗାୟକ ଏପରି ବହୁ ପ୍ରତିଭାର ଅଧିକାରୀ ଥିଲେ ସେ ।ତାଙ୍କ ଦ୍ୱାରା ରଚିତ ନାଟକ ଦିଗ୍ ବିଜୟୀ ନାଗାର୍ଜୁନ,ବ୍ରହ୍ମାସୁର ବଧ,ଆମ୍ବାସୁର ବଧ,ରୁପ କୁମାରୀ କାବ୍ୟ, ଶଶିରେଖା ହରଣ, ଭକ୍ତଚନ୍ଦ୍ର ହର୍ଷ ପ୍ରମୁଖ ଅତି ଉଚ୍ଚକୋଟୀର ରଚନା ଥିଲା ।ତାଙ୍କର ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ତ୍ରିବେଣୀ,ପୁଅ ପୁର୍ଣ୍ଣଚନ୍ଦ୍ର, ଝିଅ ଗାୟତ୍ରୀ ଓ ଜାମାତା ପଞ୍ଚାନନ ଉପସ୍ଥିତ ଥିବା ବେଳେ ବେଲଗୁଣ୍ଠା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ତାଙ୍କ ପରି କଳାର ପୁଜାରୀଙ୍କ ଦେହାନ୍ତ ବେଲଗୁଣ୍ଠା ଅଞ୍ଚଳରେ ଶୁନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବହୁ ବ୍ୟକ୍ତି ପ୍ରକାଶ କରିଛନ୍ତି ।


