ବିଶ୍ରାମାଗାରରେ ବିତୁଛି ଜୀବନ ;ପ୍ରଶାସନର ଦୃଷ୍ଟି ପଡିବ କେବେ ? 

ରାଇକିଆ,(ଓ୍ବାଇଏନ୍ଏସ୍): ଜଣେ ମଧ୍ୟ ଗରିବ ଯେଭଳି କୌଣସି ଯୋଜନାରୁ ବଞ୍ଚିତ ନ ହେବେ ସେଥି ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ବିିଭିନ୍ନ ସମୟରେ ବିିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି। ଦାୟିତ୍ୱରେ ଥିବା କିଛି କ୍ଷେତ୍ର କର୍ମଚାରୀଙ୍କ ଇଛାଶକ୍ତି ଅଭାରୁ ଆଜି ମଧ୍ୟ ଅନେକ ଗରିବ ସରକାରଙ୍କ ଅନେକ ଯୋଜନାରେ ସାମିଲ୍‍ ହୋଇ ପାରିନାହାଁନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର କରଡ଼ା ପଞ୍ଚାୟତ ଅଁଳାପଟା ଗ୍ରାମରେ । ପ୍ରକାଶ ଯେ, ଆଜିକୁ ପ୍ରାୟ ଦେଢବର୍ଷ ହେଲା ଅଁଳାପଟା ଗ୍ରାମର ଏକ ଯାତ୍ରୀ ବିଶ୍ରାମାଗାରରେ କୈଳାସ ମନ୍ତ୍ରୀଙ୍କ ପରିବାର ଜୀବନ ବିତାଉଛନ୍ତି । କୈଳାସଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ ପୁଅ । ନିଜର ବୋଲି ଯେଉଁ ଝାଟିମାଟିର ଘର ଖଣ୍ଡିଏ ଥିଲା ତାହା ଗତ ତିତଲିରେ କ୍ଷତିଗ୍ରସ୍ତ ହୋଇଯାଇଥିଲା । କୌଣସି ଉପାୟ ନପାଇ ଏହି ପରିବାର ବହୁ କଷ୍ଟରେ ଦୀର୍ଘଦିନ ପର୍ଯ୍ୟନ୍ତ ସେଠାର ରହିଥିଲେ। ତେବେ ପରେ ପରେ ଗତ ଦିନ ମାନଙ୍କରେ ହୋଇଥିବା ଲଗାଣ ବର୍ଷ ରେ ଘରର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଥିଲା। ଯେ କୌଣସି ସମୟରେ ଘରର କାନ୍ଥ ପଡଯିବାର ଭୟ ରହିବାରୁ ଜୀବନ ବଞ୍ଚାଇବା ପାଇଁ ଗତ ଦେଢ ବର୍ଷ ହେଲା ଗ୍ରାମରେ ଥିବା ଏକ ବିଶ୍ରାମାଗାରରେ ଏହି ପରିବାର ଆଶ୍ରୟ ନେଉଛନ୍ତି । ବିଶ୍ରାମାଗାର ବାହାରେ ରୋଷେଇ କରି ଚାରି ପ୍ରାଣୀ କୁଟୁମ୍ଭ ଜୀବନ ଜୀଇଁଛନ୍ତି । କୌଳିକ ବୃତ୍ତି ବାଉଁଶରେ କୁଲା , କୁଣ୍ଡି , ଚାଙ୍ଗୁଡ଼ି ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ସେଥିରୁ ଯାହା କିଛି ରୋଜଗାର କରିଥାନ୍ତି ସେଥିରେ ଏହି ପରିବାର ଚଳନ୍ତି । ନିକଟରେ ଲକ୍‍ଡ଼ାଉନ୍‍ ଓ ସଟ୍‍ ଡ଼ାଉନ୍‍ ଯୋଗୁ ସେମାନଙ୍କର ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ବାଧ୍ୟ ହେଉଛି ବୋଲି କହିଛନ୍ତି କୈଳାସ । ନିଜର ବୋଲି କୈଳାସଙ୍କର ଘରବାରି ପଟାଟିଏ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ମିଳିନାହିଁ ରେସନ କାର୍ଡ଼ କିମ୍ବା ରହିବା ପାଇଁ ଘରଟିଏ । ଏଭଳି ପରିସ୍ଥିତିରେ ଏହି ଗରିବ ଓ ଅସହାୟ ପିରବାର ବାରମ୍ବାର ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନ ନିକଟରେ ଘରଟିଏ ପାଇଁ ନେୁହୁରା ହୋଇଥିଲେ ମଧ୍ୟ କେତେବେଳେ କ’ଣ କହି ସେମାନଙ୍କୁ ଫେରାଇ ଦିଆଯାଉଛି। ଖର୍ଚ୍ଚ କରି ଉଜୁଡ଼ି ଯାଇଥିବା ଘରଟିକୁ ତିଆରି କରିବା ପାଇଁ ମଧ୍ୟ ଉକ୍ତ ପରିବାର ଅସମର୍ଥ । ପରିବାରର କଷ୍ଟକର ସ୍ଥିତି ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି କରଡ଼ା ସରପଞ୍ଚ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ