ବିଶ୍ୱର ପ୍ରଥମ ଅନ୍‌ଲାଇନ ବିଏସ୍‌ସି ଡିଗ୍ରୀ ପାଠ୍ୟକ୍ରମ ପ୍ରୋଗ୍ରାମିଂ ଓ ଡେଟା ସାଇନ୍ସ

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଭର୍ଚୁଆଲ ବ୍ୟବସ୍ଥାରେ ପ୍ରୋଗ୍ରାମିଂ ଓ ଡେଟା ସାଇନସରେ ବିଶ୍ୱର ପ୍ରଥମ ଅନ୍‌ଲାଇନ ବିଏସ୍‌ସି ଡିଗ୍ରୀ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଉପସ୍ଥିତ ଥିଲେ । ଆଇଆଇଟି ମାଡ୍ରାସ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏନ୍‌ଆଇଆରଏଫ୍‌ ୨୦୨୦ ରେଙ୍କିଂରେ ଆଇଆଇଟି ମାଡ୍ରାସ ଭାରତୀୟ ପ୍ରଥମ ସ୍ଥାନରେ ରହିଛି । ଯେଉଁମାନେ ଦଶମ ସ୍ତରରେ ଇଂରାଜୀ ଓ ଗଣିତ ରଖିଥିବେ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବେ ସେମାନେ ଏଥିପାଇଁ ଆବେଦନ କରିପାରିବେ ଓ ଯେକୌଣସି ଅନ୍‌-କ୍ୟାମ୍ପସ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ମାଡ୍ରାସ ଆଇଆଇଟି ଚେୟାରମ୍ୟାନ ପବନକୁମାର ଗୋଏଙ୍କା, ପରିଚାଳନା ପରିଷଦର ନିର୍ଦେଶକ, ମାଡ୍ରାସ ଆଇଆଇଟିର ଅଧ୍ୟାପକଗଣ, ଏଆଇସିଇଟିର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦେ୍ଧ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାକେଶ ରଂଜନ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏବେ ବିଶ୍ୱରେ ଡେଟା ସାଇନ୍ସର ଚାହିଦା ଅଧିକ ରହଛି । ୨୦୧୬ ସୁଦ୍ଧା ଏହି ଉଦ୍ୟୋଗରେ ୧୧.୫ ନିୟୁତ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ଅନ୍‌ଲାଇନ ଶିକ୍ଷାର ଆଦର ଏବେ ଦ୍ରୁତଗତିରେ ବଢୁଛି ଏବଂ ଏହା ମାଧ୍ୟମରେ ଉତ୍ତମ ମାନର ଶିକ୍ଷା ପ୍ରଦାନ କରାଯାଉଛି । ମାଡ୍ରାସ ଆଇଆଇଟିର ଶିକ୍ଷକଗଣ ଏଥିପାଇଁ ପାଠ୍ୟକ୍ରମ ଓ ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟ ତୁଲାଉଛନ୍ତି । ଅଳ୍ପ ଖର୍ଚ୍ଚରେ ଏହାଦ୍ୱାରା ଆଗ୍ରହୀ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଏହି ଅଭିନବ ପାଠ୍ୟକ୍ରମ ପ୍ରବର୍ତ୍ତନ କରିବାରେ ମାଡ୍ରାସ ଆଇଅଇଟି ଦେଶରେ ପ୍ରଥମ । ଆଇଆଇଟି ମାଡ୍ରାସ ଟିମ୍‌କୁ ପ୍ରୋଗ୍ରାମିଂ ଓ ଡେଟା ସାଇନ୍ସରେ ବିଶ୍ୱର ଏହି ସର୍ବପ୍ରଥମ ଅନ୍‌ଲାଇନ ବିଏସ୍‌ସି ଡିଗ୍ରୀ ପାଠ୍ୟକ୍ରମ ପ୍ରବର୍ତ୍ତନ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ଚଳିତବର୍ଷ ଦ୍ୱାଦଶ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ଆବେଦନ କରିପାରିବେ । ଏହାଛଡା ସ୍ନାତକଧାରୀ ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବୃତ୍ତିଧାରୀମାନେ ଏଥିପାଇଁ ଆବେଦ୍‌ନ କରିପାରିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ପାଠ୍ୟକ୍ରମ ପାଇଁ ବୟସ, ବିଭାଗ ଏବଂ ଭୌଗୋଳିକ ସ୍ଥିତିର କୌଣସି ପ୍ରତିବନ୍ଧକ ନାହିଁ । ବିଶ୍ୱର ଯେକୌଣସି ସ୍ଥାନରୁ ଯେକୌଣସି ବିଷୟରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ଏବେ ବିଶ୍ୱରେ କୁଶଳୀ ଓ ଦକ୍ଷ ବୃତ୍ତିଧାରୀଙ୍କର ଚାହିଦା ଅଧିକ ରହିଛି । ତେଣୁ ଡେଟା ସାଇନ୍ସ ପାଠ୍ୟକ୍ରମ ଦ୍ୱାରା ଅନେକ ଛାତ୍ରଛାତ୍ରୀ ଓ ବୃତ୍ତିଧାରୀ ଉପକୃତ ହୋଇପାରିବେ । ମନ୍ତ୍ରୀ କହିଛନ୍ତି ଯେ ନିରନ୍ତର ନବସୃଜନ କ୍ଷେତ୍ରରେ ମାଡ୍ରାସ ଆଇଆଇଟିର ଏକ ସମୃଦ୍ଧ ଇତିହାସ ରହିଛି । ଏହି ଶିକ୍ଷାନୁଷ୍ଠାନ ଏନ୍‌ଆଇଆରଏଫ୍‌ ରେଙ୍କିଂରେ ଏଥର ପ୍ରଥମ ସ୍ଥାନରେ ରହିଛି । ଉତ୍ତମ ପାଠପଢା, ଶୈକ୍ଷିକ ପରିବେଶ ସୃଷ୍ଟି, ଉଚ୍ଚକୋଟୀର ଗବେଷଣା ଓ ନବସୃଜନ କ୍ଷେତ୍ରରେ ଏହାର ଭଲ ନାଁ ରହିଛି । ସେ କହିଛନ୍ତି ଏହି ସଫଳତା ପାଇଁ ଅନୁଷ୍ଠାନର ଶିକ୍ଷକ, ନିର୍ଦେଶକ ଓ ଦିଗ୍‌ଦର୍ଶକମାନଙ୍କର ଭୂମିକା ପ୍ରଶଂସନୀୟ । ପ୍ରତିବର୍ଷ ଉତ୍ତମ ଶିକ୍ଷା ପାଇଁ ଭାରତରୁ ୭ରୁ ସାଢେ ୭ଲକ୍ଷ ଛାତ୍ରଛାତ୍ରୀ ବିଦେଶକୁ ଯାଉଛନ୍ତି । ଏହା ଫଳରେ ଦେଶର ପ୍ରତିଭା ଓ ରାଜସ୍ୱ ବାହାରକୁ ଚାଲିଯାଉଛି । ଉଚ୍ଚ ଏବଂ ମାନକ ଶିକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଇଆଇଟି ମାଡ୍ରାସର ଲକ୍ଷ୍ୟ ଓ ଅଭିଯାନ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । କୋଭିଡ ମହାମାରୀ ଭଳି ସଂକଟ ସମୟେରେ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ପ୍ରତିଷ୍ଠାନ ଯେଉଁ ଅଭିନବ ପ୍ରୟାସ କରିଛି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅନ୍‌-କ୍ୟାମ୍ପସ ପାଠ୍ୟକ୍ରମରେ ବିଭିନ୍ନ ସ୍ଥାନରେ ନାମ ଲେଖାଇଛନ୍ତି ସେମାନେ ସେ ଶିକ୍ଷାନୁଷ୍ଠାନ ନ ଛାଡି ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ଏପରିକି ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ଦେଇପାରିବେ । ଏହାଫଳରେ ଉତ୍ପାଦନ ବ୍ୟାହତ ନକରି ସଂପୃକ୍ତ କର୍ମଚାରୀ ଅନ୍‌ଲାଇନରେ ଏହି ପାଠ୍ୟକ୍ରମରେ ଭାଗ ନେଇପାରିବେ । ମନ୍ତ୍ରୀ ଧୋତ୍ରେ କାର୍ଯ୍ୟକ୍ରମ ପାଇଁ ଆଇଆଇଟି ମାଡ୍ରାସ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ବୃତ୍ତିଧାରୀ ଓ ଛାତ୍ରଛାତ୍ରୀ ନିଜକୁ ପ୍ରତିଯୋଗିତା ପାଇଁ ଯୋଗ୍ୟ କରିବା ନିମନ୍ତେ ନିରନ୍ତର ସେମାନଙ୍କର ଜ୍ଞାନ ଓ କୌଶଳ ବଢାଇବା ଆବଶ୍ୟକ । ସମୟ ଓ ଦୂରତ୍ୱ ଆଦିର ପ୍ରତିବନ୍ଧକକୁ ହଟାଇବାରେ ଏହି ନୂଆ ପାଠ୍ୟକ୍ରମ ସହାୟକ ହେବ ବୋଲି ସେ କହିଛନ୍ତି । କୋଭିଡ ମହାମାରୀ ସମୟରେ ଏଭଳି ପାଠ୍ୟକ୍ରମର ସୁଯୋଗ ସୃଷ୍ଟି କରାଯାଇଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଡେଟା ସାଇନ୍ସ ଓ ପ୍ରୋଗ୍ରାମିଂ ଶିଳ୍ପ ଓ ଉଦ୍ୟୋଗ ପାଇଁ ବିଶେଷ ମହତ୍ୱ ରଖେ । ଅନ୍‌ଲାଇନ ବ୍ୟବସ୍ଥାରେ ଏହା ଆରମ୍ଭ ହୋଇଥିବାରୁ ଏହା ଅନେକ ଆଗ୍ରହୀ ବିଦ୍ୟାର୍ଥୀ ଓ ବୃତ୍ତିଧାରୀଙ୍କ ଉପକାରରେ ଲାଗିପାରିବ । ବିଭିନ୍ନ କ୍ଷେତ୍ରରୁ ଏଥିପାଇଁ ଶିକ୍ଷାର୍ଥୀ ମିଳିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପାଠ୍ୟକ୍ରମ ଅତ୍ୟାଧୁନିକ ଅନ୍‌ଲାଇନ ପୋର୍ଟାଲ ବ୍ୟବସ୍ଥାରେ ପ୍ରଦାନ କରାଯିବ । ଯେଉଁସବୁ ଅଞ୍ଚଳ ଅଗମ୍ୟ ଓ ଦୂରଦୂରାନ୍ତ ତଥା ଯେଉଁଠି ଡିଜିଟାଲ ସାକ୍ଷରତା ହାର ସ୍ୱଳ୍ପ ସେ ଅଞ୍ଚଳର ଶିକ୍ଷାର୍ଥୀମାନେ ଏହାର ସୁଯୋଗ ନେଇପାରିବେ । ଅନ୍‌ଲାଇନ ଶିକ୍ଷା, ଶ୍ରେୀଣୀ ଗୃହଶିକ୍ଷା ସହିତ ନିକଟତର ହୋଇଥିବାରୁ ଏହାର ଲୋକପ୍ରିୟତା ଅଧିକ ରହିଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟକ୍ରମର ଭିଡିଓ ଉପଲବ୍‌ଧ ହେବ । ସାପ୍ତାହିକ ପାଠ୍ୟ ପ୍ରଦାନ, ସାଧାରଣ ପରୀକ୍ଷା ଭଳି ନିୟମିତ ପରୀକ୍ଷା ଓ ପାଠ୍ୟକ୍ରମ ବ୍ୟବସ୍ଥା ଏଥିରେ ରହିଛି । ତିନୋଟି ବିଭିନ୍ନ ପର୍ଯ୍ୟାୟରେ ଏହି ଅନୁପମ ଅନ୍‌ଲାଇନ ପାଠ୍ୟକ୍ରମ ପ୍ରଦାନ କରାଯିବ । ସେଗୁଡିକ ହେଲା- ଫାଉଣ୍ଡେସନାଲ ପ୍ରୋଗ୍ରାମ, ଡିପ୍ଲୋମା ପ୍ରୋଗ୍ରାମ ଓ ଡିଗ୍ରୀ ପ୍ରୋଗ୍ରାମ । ପ୍ରତ୍ୟେକ ପର୍ଯ୍ୟାୟରେ ଶିକ୍ଷାର୍ଥୀ ଚାହିଁଲେ ପାଠ୍ୟକ୍ରମରୁ ଅବ୍ୟାହତି ନେଇ ଆଇଆଇଟି ମାଡ୍ରାସରୁ ସେହି ପର୍ଯ୍ୟାୟ ପାଇଁ ସାର୍ଟିଫିକେଟ ପାଇପାରିବେ । ଯୋଗ୍ୟତାଭିତ୍ତିରେ ଏଥିପାଇଁ ପ୍ରାର୍ଥୀମାନଙ୍କୁ ବଛାଯିବ । ସେମାନଙ୍କୁ ଫର୍ମ ପୂରଣ କରିବା ସହ ଯୋଗ୍ୟତା ଅର୍ଜନକାରୀ ପରୀକ୍ଷା ପାଇଁ ୩ ହଜାର ଟଙ୍କା ଫି’ ଦେବାକୁ ପଡିବ । ଶିକ୍ଷାର୍ଥୀଙ୍କୁ ଗଣିତ, ଇଂରାଜୀ, ପରିସଂଖ୍ୟାନ ଏବଂ କମ୍ପ୍ୟୁଟେସନାଲ ଥିକିଂ ଏହି ୪ଟି ବିଷୟରେ ୪ସପ୍ତାହ ପାଇଁ ପାଠ୍ୟକ୍ରମ ଓ ବିଷୟବସ୍ତୁ ଦିଆଯିବ । ସେମାନେ ଅନ୍‌ଲାଇନରେ ପାଠ୍ୟକ୍ରମର ଲେକ୍‌ଚର ଶୁଣିପାରିବେ । ସେମାନଙ୍କୁ ଅନ୍‌ଲାଇନ ବ୍ୟବସ୍ଥାରେ ଦିଆଯାଇଥିବା ପାଠର ଉତ୍ତର ଦେବାକୁ ପଡିବ ଏବଂ ୪ସପ୍ତାହ ପରେ ସେମାନଙ୍କୁ ପରୀକ୍ଷା ଗୃହରେ ଉପସ୍ଥିତ ରହି ଯୋଗ୍ୟତାଭିତ୍ତିକ ପରୀକ୍ଷା ଦେବାକୁ ପଡିବ । କ୍ୟାମ୍ପସରେ ସୀମିତ ଆସନ ଥିବାରୁ ଆଇଆଇଟି କର୍ତ୍ତୃପକ୍ଷ ଏହି ପାଠ୍ୟକ୍ରମ ପାଇଁ ସ୍ୱତନ୍ତ୍ର ନାମଲେଖା ପ୍ରକ୍ରିୟା ପ୍ରସ୍ତୁତ କରିଛନ୍ତି । ଯେଉଁ ବିଦ୍ୟାର୍ଥୀ କ୍ୱାଲିଫାଇଂ ପରୀକ୍ଷାରେ ମୋଟାମୋଟି ୫୦ପ୍ରତିଶତ ନମ୍ବର ରଖିବେ ସେମାନେ ଫାଉଣ୍ଡେସନାଲ ପାଠ୍ୟକ୍ରମ ପାଇଁ ନାମ ପଞ୍ଜୀକରଣ କରିବାକୁ ଯୋଗ୍ୟ ବିବେଚିତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ