ବିଶ୍ୱର ସବୁଠୁ ଥଣ୍ଡା ଗ୍ରାମ ‘ୟାକୁଟିଆ’
ଚଳିତ ବର୍ଷ ଭାରତରେ ପ୍ରମୁଖ ପ୍ରାନ୍ତରେ ଶୀତର ଲହରୀ ଅନ୍ୟ ବର୍ଷ ତୁଳନାରେ ଅଧିକ ଅନୁଭୂତ ହୋଇଥିଲା । ଲୋକେ ଜାଣି ରଖିବା ଉଚିତ ଯେ ବିଯୁକ୍ତ ତାପମାତ୍ରା ନ ହୋଇ ମଧ୍ୟ ଉତ୍ତର ଭାରତ ଶୀତରେ ଥରି ଉଠିଥିଲା । ଏପରି ସ୍ଥଳେ ରୁଷର ଏକ ଗ୍ରାମ ୟାକୁଟିଆ ରେ ତାପମାତ୍ରା -୫୮ ଡିଗ୍ରୀରେ ପହଞ୍ଚିଯାଏ । ବର୍ଷର ଅଧିକାଂଶ ମାସ ଏଇ ଗ୍ରାମର ନଦୀ ବରଫ ଜମାଟ ବାନ୍ଧି ରହେ । ୟାକୁଟିଆ ଓ ଏହାର ଆଖପାଖ ଅଞ୍ଚଳର ଲୋକସଂଖ୍ୟା ପ୍ରାୟ ୩ ଲକ୍ଷ ହୈବ । ବର୍ତ୍ତମାନ ସେଠାରେ ତାପମାତ୍ରା -୪୪ ଡିଗ୍ରୀ ଥିବା ସତ୍ତ୍ୱେ ସ୍କୁଲ କଲେଜ ବନ୍ଦ ହୋଇନାହିଁ । ତାପମାତ୍ରା -୫୨ ଡିଗ୍ରୀରେ ପହଞ୍ଚିବା ପରେ ହିଁ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ବନ୍ଦ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ମସ୍କୋଠାରୁ ୩,୩୦୦ ମାଇଲ ପୂର୍ବରେ ସ୍ଥିତ ଏହି ଗ୍ରାମର ଲୋକ ହରିଣ ଛାଇ ପୋଷାକ ପିନ୍ଧି କାରବାର କରନ୍ତି । କାରଣ ସାଧାରଣ ପଶମ ପୋଷାକ ଏଠାକାର ଶୀତ ସମ୍ଭାଳି ପାରିନଥାଏ । କୌଣସି ମୃତ ବ୍ୟକ୍ତିର କବର ଦେବାକୁ ପ୍ରଥମେ ଜମାଟ ବରଫକୁ ତରଳାଇବା ନିମନ୍ତେ ଘଣ୍ଟା ଘଣ୍ଟା ନିଅାଁ ଲଗାଇବା ପରେ ହିଁ ମାଟିରେ ସଂସ୍କାର କରାଯାଏ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । କାର ଚଳାଉଥିବା ଲୋକ ପୂରା ରାତି ଗାଡ଼ି ଚାଲୁ କରି ରଖନ୍ତି । ନଚେତ ସକାଳୁ ଗାଡ଼ି ଷ୍ଟାଟ ହୋଇନଥାଏ । ସେଠା ଲୋକ ଏଭଳି ପରିବେଶ ସହ ଅଭ୍ୟସ୍ତ । ପର୍ଯ୍ୟଟକ ମଧ୍ୟପୁରା ବର୍ଷ ଏଠାରେ ଭିଡ ଲଗାଉଥିବାର ଜଣାପଡ଼ିଛି ।


