ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ନବବର୍ଷ
ବାଲେଶ୍ୱର, (ସରୋଜ ପଣ୍ଡା) :ବିଶ୍ୱ ହିନ୍ଦୁ ପରିଷଦ ବାଲେଶ୍ୱର ନଗର ଶାଖା ପକ୍ଷରୁ ହିନ୍ଦୁ ନବବର୍ଷ ସହରର ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି । ଏନେଇ ପୂର୍ବାହ୍ଣରେ ସମାଜ କଲ୍ୟାଣ ନିମିତି ପକ୍ଷରୁ ଓଁକାର ଧ୍ୱନି, ଦେବ ପାଠ, ଶଙ୍ଖଧ୍ୱନି ସହ ପୂଜାର୍ଚ୍ଚନା ଓ ଯଜ୍ଞାଦି କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଆୟୋଜିତ ସାଧାରଣ ସଭାରେ ବନାରସର ଧର୍ମଗୁରୁ ସ୍ୱାମୀ ଶାଶ୍ୱତାନନ୍ଦଜୀ ମହାରାଜ ବରେଣ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁତ୍ୱର ବୈଶିଷ୍ଟତା ସମ୍ପର୍କରେ ଆଲୋଚନା କରିଥିଲେ । ପାଶ୍ଚତ୍ୟ ସଂସ୍କୃତି ପ୍ରଭାବରେ ଇଂରାଜୀ ନବବର୍ଷ ପାଳନ କରୁଥିବା ହିନ୍ଦୁମାନେ ନିଜର ପରମ୍ପରା ଓ ସଂସ୍କୃତି ଭୁଲି ଯାଉଛନ୍ତି । ଏହାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ମହଲରୁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଜିଲା ଉପ-ସଭାପତି ସଞ୍ଜୟ ମହାପାତ୍ର ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ହିନ୍ଦୁ ନବବର୍ଷ ପାଳନର ଆଭିମୁଖ୍ୟ ଓ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ନଗର ସଭାପତି ଆଲୋକ କୁମାର ପଣ୍ଡା ଏଥିରେ ସଂଯୋଜନା କରିଥିଲେ । ଏହି ଅବସରରେ ସଙ୍ଗଠନର ବରିଷ୍ଠ ସଦସ୍ୟ ଏବଂ ସଂଗଠନ ସହ ଜଡିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପୂର୍ବରୁ ଆୟୋଜିତ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରେ ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗୁରୁକୃତି ଅନୁଷ୍ଠାନ, ସତ୍ୟମ ଯୋଗ ବିଦ୍ୟାଳୟ, ନୃତ୍ୟାୟନ ସଂଗଠନ, ମାଣିଖମ୍ବର ସଂସ୍କାର କେନ୍ଦ୍ର ପ୍ରଭୃତି ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରଶାନ୍ତ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଧରଣୀଧର ମିଶ୍ର, ରଜନୀକାନ୍ତ ଶତପଥୀ, ବଳଭଦ୍ର ଶତପଥୀ, ହେମଲତା ସାହୁ, ରାକେଶ ସାହା, ପ୍ରଫୁଲ ଦାସ, କ୍ଷୀତିଶ୍ୱର ଦାସ, ଭାଗ୍ୟରଞ୍ଜନ ନାୟକ, ନିହାର ରଞ୍ଜନ ପଣ୍ଡା, ବିନୋଦ ନାୟକ ପ୍ରମୁଖଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


