ବି.ଆଇ.ପି.ଏଫ. ଦ୍ଵାରା ଡିଜିଟାଲ ସାକ୍ଷରତା କେନ୍ଦ୍ର ଉଦଘାଟିତ

ଚୌଦ୍ଵାର, (ଦୀପକ୍ କୁମାର୍ ବେଉରା):ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବାଣୀପଦା ପଞ୍ଚାୟତ ଅଫିସ ଠାରେ ଜନ ଶିକ୍ଷଣ ସଂସ୍ଥାନ, କଟକ ସହଯୋଗୀତାରେ ଏକ ଡିଜିଟାଲ ସାକ୍ଷରତା କେନ୍ଦ୍ର ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ସି.ଇ.ଓ. ଶ୍ରୀମତି ଶୈଫାଳିକା ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜନ ଶିକ୍ଷଣ ସଂସ୍ଥାନ, କଟକର ନିର୍ଦ୍ଦେଶିକା ଶ୍ରୀମତୀ ଅନିମା ଦାସ , ବି. ଆଇ.ପି.ଏଫର ଉପ ସଭାପତି ଶ୍ରୀଯୁକ୍ତ ଧର୍ମେଶ ଗୋହେଲ, ଅଞ୍ଚଳର ଜିଲ୍ଲା ପରିଷଦ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ସ୍ଥାନୀୟ ସରପଞ୍ଚ ଶ୍ରୀ ଦିଲୀପ କୁମାର ଭୋଇ, ସମିତି ସଭ୍ୟ ଶ୍ରୀ ସୁରେନ୍ଦ୍ର କୁମାର ସାମଲ, ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବି ତଥା ସମାଜସେବୀ ଶ୍ରୀଯୁକ୍ତ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଓ ଶ୍ରୀ ଲକ୍ଷ୍ମଣ ରାଉତ ଓ ଇମ୍ଫାର ଡି. ଜି.ଏମ. ଲୋକ ସମ୍ପର୍କ ବିଭାଗ, ଶ୍ରୀ ଧୃବଚରଣ ରାଉତ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୭୦ରୁ ଊର୍ଦ୍ଧ୍ଵ ମହିଳା ଓ କିଶୋରୀ ବାଳିକା, ଯୁବକ ଓ ଯୁବତୀ ଯୋଗ ଦେଇ ଥିଲେ । ଦୁଇଗୋଟି କେନ୍ଦ୍ର ମାଧ୍ୟମରେ ଫାଉଣ୍ଡେସନ ଅଞ୍ଚଳରେ ବର୍ଷକୁ ୧୨୦ରୁ ଊର୍ଦ୍ଧ୍ଵ ଗରିବଯୁବତୀ ଓ ଯୁବକ ମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରିବ । ଅନ୍ୟତମ ସହଯୋଗୀ ଭାବରେ ଜନ ଶିକ୍ଷଣ ସଂସ୍ଥାନ, କଟକ ତାଲିମ ଦେବ । ଡିଜିଟାଲ ସାକ୍ଷରତା କେନ୍ଦ୍ରକୁ ଉଦ୍ଦଘାଟନ କରି ସି.ଇ.ଓ. ଶ୍ରୀମତି ପଣ୍ଡା ବର୍ତ୍ତମାନ ସମୟରେ କମ୍ପୁଟର ଶିକ୍ଷାର ମହତ୍ତ୍ଵ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଥିଲେ । କମ୍ପୁଟର ଶିକ୍ଷା ଲାଭକରି ଯୁବକ ଯୁବତୀ ମାନେ କିପରି ନିଜକୁ ରୋଜଗାରକ୍ଷମ ତଥା ନୂଆ ଷ୍ଟାର୍ଟଅପ କରି ଆତ୍ମନିର୍ଭରଶୀଳ ହୋଇପାରିବେ କହିଥିଲେ । ଜନ ଶିକ୍ଷଣ ସଂସ୍ଥାନ, କଟକର ନିର୍ଦ୍ଦେଶିକା ଶ୍ରୀମତୀ ଅନିମା ଦାସ ନିଜ ଅଭିଭାଷଣରେ ଫାଉଣ୍ଡେସନର ଏହି ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସହଯୋଗିତା ମାଧ୍ୟମରେ ସମସ୍ତଙ୍କ ପାଇଁ ଏକ ଭଲ ମଡେଲ ତିଆରି ହୋଇପାରିବ ବୋଲି କହିଥିଲେ । ସମାଜସେବୀ ଶ୍ରୀଯୁକ୍ତ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଫାଉଣ୍ଡେସନ ଦ୍ଵାରା କରାଯାଉଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ , ଜଳ ଓ ପରିମଳ ଓ ଜୀବନ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପଞ୍ଚ।ୟତ ତରଫରୁ ସମସ୍ତ ପ୍ରକାରର ସହଯୋଗ ଦିଆଯିବ ବୋଲି କହିଥିଲେ । ଡିଜିଟାଲ ସାକ୍ଷରତା କେନ୍ଦ୍ରକୁ ଉଦ୍ଦଘାଟନ କରିବା ସହିତ ସି.ଇ.ଓ. ଶ୍ରୀମତି ପଣ୍ଡା ଅଞ୍ଚଳରେ ଫାଉଣ୍ଡେସନ ତରଫରୁ କରାଯାଉଥିବା ବିଭିନ୍ନ ପ୍ରକାରର ଜୀବନ ଜୀବିକା କାର୍ଯ୍ୟକ୍ରମ ଯଥା ଛତୁଚାଷ, ସଫ୍ଟଟୟ ପ୍ରସ୍ତୁତି ଗୁଡିକୁ ବୁଲି ଦେଖିଥିଲେ ଏବଂ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ନିକଟସ୍ଥ ଶ୍ରୀ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ସି.ଇ.ଓ. ଶ୍ରୀମତି ପଣ୍ଡା ବାଣିପଦା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିବା ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଇ କିଶୋରୀ, ମହିଳାଙ୍କ ପାଇଁ ସୁଷମ ଖାଦ୍ୟର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ଜଣେ ସୁସ୍ଥ କିଶୋରୀ ଭବିଷ୍ୟତରେ ଜଣେ ଭଲ ମା ହୋଇ ପାରିବ ବୋଲି ଗୁରୁତ୍ଵାରୋପ କରିଥିଲେ । କାର୍ଯ୍ୟକ୍ରମ ଗୁଡିକୁ ଫାଉଣ୍ଡେସନର ଅଧିକାରୀ ଶ୍ରୀ ଆଶିଷ ଦାସ ପରିଚାଳନା କରିଥିବା ବେଳେ ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ସୁଶ୍ରୀ ଶୁଭଶ୍ରୀ ନାୟକ, ଶ୍ରୀମତୀ ପିଙ୍କି ସାହୁ , ସୁଶ୍ରୀ ଅର୍ଚନା ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ