ଭୁବନେଶ୍ୱର ଟାଇଗର୍ସକୁ ୩ ୱିକେଟ୍ରେ ହରାଇଲା ରାଉରକେଲା ସୁପରଷ୍ଟାର୍ସ
କଟକ, (ଓ୍ବାଇଏନଏସ): କଟକ ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍–ସିଏମ୍ ଟ୍ରଫିରେ ରାଉରକେଲା ସୁପରଷ୍ଟାର୍ସ ରୋମାଞ୍ଚକର ଭାବେ ଭୁବନେଶ୍ୱର ଟାଇଗର୍ସକୁ ୩ ୱିକେଟ୍ରେ ପରାସ୍ତ କରିଛି। ଚାପପୂର୍ଣ୍ଣ ପରିସ୍ଥିତିରେ ଅଭିଷେକ ଯାଦବଙ୍କ ଅପରାଜିତ ୬୧ ରନ୍ର ଦମ୍ଦାର ଇନିଂସ ରାଉରକେଲାକୁ ବିଜୟ ଦେଇଛି। ଟସ୍ ପରେ ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଟାଇଗର୍ସ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୨୦ ରନ୍ରେ ଦଳ ୨ଟି ୱିକେଟ୍ ହରାଇଥିଲା। ଏହି ସମୟରେ ସମ୍ବିତ ବେଜା ଓ ଶ୍ରେୟାଂଶ ଭାରଦ୍ୱାଜ ଦାୟିତ୍ୱବାନ ବ୍ୟାଟିଂ କରି ଦଳର ଇନିଂସକୁ ସମ୍ଭାଳିଥିଲେ। ଉଭୟେ ତୃତୀୟ ୱିକେଟ୍ ପାଇଁ ୫୦ ରନ୍ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ସମ୍ବିତ ବେଜା ୧୯ଟି ବଲ୍ରୁ ୨୫ ରନ୍ କରିଥିବା ବେଳେ ଶ୍ରେୟାଂଶ ଭାରଦ୍ୱାଜ ୨୮ଟି ବଲ୍ରୁ ୩୯ ରନ୍ କରିଥିଲେ। ତେବେ ରାଉରକେଲା ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ହାସଲ କରି ଭୁବନେଶ୍ୱରକୁ ବଡ଼ ଭାଗୀଦାରି ଗଢ଼ିବାର ସୁଯୋଗ ଦେଇନଥିଲେ। ଅନ୍ୟପଟେ ରୁଦ୍ର ପ୍ରସାଦ ମଲ୍ଲିକ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ସେ ୩୫ଟି ବଲ୍ରୁ ୪୭ ରନ୍ର ଉପଯୋଗୀ ଇନିଂସ ଖେଳିବାରୁ ଭୁବନେଶ୍ୱର ଟାଇଗର୍ସ ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ରାଉରକେଲା ପକ୍ଷରୁ ପାପୁ ରାୟ ଚମତ୍କାର ବୋଲିଂ କରି ୪ ଓଭରରେ ୨୦ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ୧୫୦ ରନ୍ର ବିଜୟଲକ୍ଷ୍ୟର ପିଛା କରି ରାଉରକେଲା ସୁପରଷ୍ଟାର୍ସ ମଧ୍ୟ ଆରମ୍ଭରୁ ଚାପରେ ପଡ଼ିଥିଲା। ମାତ୍ର ୮ ଓଭର ମଧ୍ୟରେ ଦଳ ୪୯ ରନ୍ରେ ୪ଟି ୱିକେଟ୍ ହରାଇଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ପଡ଼ୁଥିବାରୁ ମ୍ୟାଚ୍ର ରୋମାଞ୍ଚ ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ଅଭିଷେକ ଯାଦବ ଦଳର ଇନିଂସର ମଙ୍ଗ ଧରିଥିଲେ। ଚାପକୁ ଖାତିର ନକରି ସେ ଧୈର୍ଯ୍ୟର ସହ ବ୍ୟାଟିଂ କରି ରନ୍ ସଂଗ୍ରହ ଜାରି ରଖିଥିଲେ। ଅଭିଷେକ ୩୮ଟି ବଲ୍ରୁ ଅପରାଜିତ ୬୧ ରନ୍ କରି ଦଳକୁ ବିଜୟ ଲକ୍ଷ୍ୟ ନିକଟରେ ପହଞ୍ଚାଇଥିଲେ। ଶେଷରେ ତାଙ୍କ ଦୃଢ଼ ବ୍ୟାଟିଂ ବଳରେ ରାଉରକେଲା ୩ ୱିକେଟ୍ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ମ୍ୟାଚ୍ ପରେ ଅଭିଷେକ କହିଥିଲେ, “ଦଳର ବିଜୟରେ ଯୋଗଦାନ ଦେଇପାରିଥିବାରୁ ବହୁତ ଖୁସି।ବିଶେଷକରି ଆମେ ଆରମ୍ଭରୁ କିଛି ୱିକେଟ୍ ହରାଇଥିବାରୁ ପରିସ୍ଥିତି କଷ୍ଟକର ଥିଲା। ମୋର ଲକ୍ଷ୍ୟ ଥିଲା କ୍ରିଜ୍ରେ ରହିବା, ଇନିଂସକୁ ସମ୍ଭାଳିବା ଏବଂ ମ୍ୟାଚ୍କୁ ଯଥାସମ୍ଭବ ଶେଷ ପର୍ଯ୍ୟନ୍ତ ନେଇଯିବା। ଦଳକୁ ଯେତେବେଳେ ରନ୍ର ଆବଶ୍ୟକତା ଥିଲା, ସେତେବେଳେ ରନ୍ କରି ଦଳକୁ ବିଜୟୀ କରାଇପାରିଥିବାରୁ ଖୁସି।” ଅଭିଷେକ ଯାଦବଙ୍କୁ ‘ଡାଇନାମିକ୍ ଷ୍ଟ୍ରାଇକର୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଭୁବନେଶ୍ୱର ଟାଇଗର୍ସର ପ୍ରତିନିଧି ପୁଣ୍ୟ ପ୍ରକାଶ ପରିଡ଼ା ପ୍ରଦାନ କରିଥିବା ବେଳେ ‘ପ୍ଲେୟର୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଭାରତ ମସଲାର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ଅରୁଣ ନାୟକ ପ୍ରଦାନ କରିଥିଲେ। ସେହିପରି ପାପୁ ରାୟଙ୍କୁ ‘ମୋମେଣ୍ଟ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଭିମଲ ଏଲାଇଚିର ପ୍ରତିନିଧି ଲୁଭ୍ ମଲିକ୍ ପ୍ରଦାନ କରିଥିଲେ।


