ବୁଗୁଡା ତହସିଲ ଅଞ୍ଚଳରେ ପଥର ଖଦାନ ନିଲାମ ସ୍ଥିତି

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ତହସିଲ ଇଲାକାରେ କେତେକ ପଥର ଖଦାନ ଥିବା ବେଳେ କେବଳ ଗୋଟିଏ ବାଲି ଘାଟ ଅଛି। ବିଷ୍ଣୁଚକ୍ରର ଏକମାତ୍ର ଲଘୁ ଖଣିଜ ପଦାର୍ଥ ବାଲି ଘାଟ ନିଲାମ ହୋଇଥିଲେ ମଧ୍ୟ ଗ୍ରାମାବାସୀଙ୍କ ବିରୋଧ ଯୋଗୁଁ ଠିକାଦାର ବାଲି ଉଠାଇ ପାରୁନଥିବା ଜଣାପଡିଛି। ଅନ୍ୟ ସମସ୍ତ ବାଲି ଘାଟ ଅନୁପଯୁକ୍ତ ଘୋଷଣା କରାଯାଇଛି। ସେହିପରି ପଥର କୁଆଁରୀ ମଧ୍ୟରୁ ଚଢ଼ିଆପଲ୍ଲୀ, ବିରଞ୍ଚିପୁର, ବିଷ୍ଣୁଚକ୍ର, ଖୋଳଖାଳି, ଓ ଅନ୍ତରପଡା ପଥର ଖଦାନର ନିଲାମ ପ୍ରକ୍ରିୟା ଶେଷ ହେବା ସହ ନିଲାମ ଧାରୀମାନେ ତହସିଲ ଅଫିସରେ ନିଲାମ ଟଙ୍କା ମଧ୍ୟ ଜମା କରିସାରିଛନ୍ତି। କେବଳ ସିଆ ର ଅନୁମତି ଅପେକ୍ଷାରେ ରହିଅଛି। କାନସୁକା ପଥର ଖଦାନ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ରହିଥିବା ଯୋଗୁଁ ବନବିଭାଗ ଅନୁମତି ପ୍ରଦାନ କରିନଥିବା ବେଳେ ଶଙ୍କୁରୁ ପଥର ଖଦାନ ପାଇଁ ବନବିଭାଗ ଅନୁମତି ପ୍ରଦାନ କରିଛନ୍ତି। ବନବିଭାଗର ଅନୁମତି ପରେ ଶଙ୍କୁରୁ ପଥର ଖଦାନ ନଥିପତ୍ର ବୁଗୁଡା ତହସିଲଦାରଙ୍କ କାର୍ଯ୍ୟାଳୟରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଥିବା ଜଣାପଡିଛି। ମାଣିତରା ଭାଲୁଆ ପାହାଡ଼ ପଥର କୁଆଁରୀ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବନ୍ଦ ରହିଛି। ଯେଉଁ ବ୍ୟକ୍ତି ଲଘୁ ଖଣିଜ ପଦାର୍ଥ ପଥରକୁ ବେନିୟମ ଭାବେ ଚୋରା ଚାଲାଣ କରୁଛନ୍ତି ସେମାନଙ୍କ ଠାରୁ ବୁଗୁଡା ରାଜସ୍ୱ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରୁଥିବା ଜଣାପଡିଛି। ସମସ୍ତ ପଥର ଖଦାନରୁ ପଥର ଖନନ ପାଇଁ ଅନୁମତି ମିଳିବା ପରେ ସରକାରଙ୍କୁ ରାଜସ୍ୱ ମିଳିବା ସହ ଚୋରା ଚାଲାଣ ବନ୍ଦ ହୋଇପାରିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ