ବେଗୁନିଆପଡ଼ା ରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ଶେଷ
କୋଦଳା : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବେଗୁନିଆପଡ଼ା ଓ କୋଦଳାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି। ଏଆଇଟିୟୁସି ଦ୍ବାରା ଅନୁବନ୍ଧିତ ବେଗୁନିଆପଡ଼ା ଅଂଗନବାଡି ଓ ପାଚିକା ସଂଘ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ବ୍ଲକ କାର୍ଯ୍ୟଳୟ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବେଗୁନିଆପଡ଼ା ପରିକ୍ରମା କରିଥିଲେ ଅଂଗନବାଡି ଓ ସହାୟିକା। ।ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ମୋଦି ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଂଟିଆ ଭାରତ ବନ୍ଦ୍ ଡାକରା ଦେଇଥିବା ବେଳେ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଯୋଜନାକୁ ବିରୋଧ କରି ଆଇଏନ୍ଟିୟୁସି, ଏଆଇଟିୟୁସି, ସିଆଇଟିୟୁ ଓ ଟିୟୁସିସି ଭଳି ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ ।
ନିଖିଳ ଓଡିଶା ଅଂଗନବାଡି କର୍ମୀ ସଂଘ ବେଗୁନିଆପଡ଼ା ପକ୍ଷରୁ ୨୧ ହଜାର ଟଙ୍କା ସର୍ବନିମ୍ନ ମଜୁରୀ କରାଯିବା, ସମାନ କାମକୁ ସମାନ ଦରମା, ମାସିକ ୧୦ ହଜାର ଟଙ୍କା ପେନସନ, ସ୍କିମ୍ ୱାର୍କର ମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ, ସାର୍ବଜନୀନ କ୍ଷେତ୍ରରେ ଘରୋଇକରଣ ବନ୍ଦ କରାଯିବା, ଦରଦାମ ବୃଦ୍ଧି ରୋକିବା, ଏଫ୍ ଡି ଆଇ ବନ୍ଦ କରାଯିବା, କୃଷକମାନଙ୍କ ପାଇଁ ସ୍ବାମୀ ନାଥନ କମିଟି ସୁପାରିସ କରିବା ଭଳି ଦାବି କରାଯାଇଛି।


