ବୈତରଣୀରେ ଦ୍ୱିତୀୟ ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଆଶଙ୍କା କରାଯାଇଛି। ପ୍ରଥମ ବନ୍ୟା ଯୋଗୁଁ କୃଷିକ୍ଷେତ୍ର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଦ୍ୱିତୀୟ ବନ୍ୟାକୁ ନେଇ ଝୁଟୁଣା, ବନ୍ଦାଳୋ-ମଢ଼ିଆଳି, ନପଙ୍ଗ, ଷୋଳମପୁର, ମାଳଦା, ରହଣିଆ, କୁରିଗାଁ ପଞ୍ଚାୟତ ଅଞ୍ଚଳର ଚାଷୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। କଣ୍ଟିଘାଇରେ ନିଷ୍କାସିତ ବନ୍ୟା ଜଳ ଯୋଗୁ ଧାନ ତଳି ଓ ରୁଆ ଧାନ ଅନେକାଂଶରେ ନଷ୍ଟ ହୋଇଥିବା ବେଳେ ଏବେ ଯଦି ଦ୍ୱିତୀୟ ବନ୍ୟା ଆସେ କ୍ଷତିର ପରିମାଣ ବଢିଯିବ ବୋଲି ଜଣାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆ ଠାରେ ସର୍ବାଧିକ ୧୨୦.୬ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଆନନ୍ଦପୁର ଠାରେ ୨୧.୮ମିମି, କେନ୍ଦୁଝର ଠାରେ ୮୧.୬ମିମି, ସ୍ୱାମପାଟଣା ଠାରେ ୧୪.୬ମିମି, ଠାକୁରମୁଣ୍ଡା ଠାରେ ୧୭.୪ମିମି ଓ ଆଖୁଆପଦାଠାରେ ୪୧.୮ମିମି ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷା ପରିମାଣକୁ ହିସାବ କଲେ ନଦୀରେ ସାମାନ୍ୟ ବନ୍ୟା ଜଳ ଆସିପାରେ ବୋଲି ଯାଜପୁର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ପ୍ରକାଶ କରିଛନ୍ତି। ଉପରମୁଣ୍ଡରେ ସେଭଳି କିଛି ବଡ ଧରଣର ବର୍ଷା ନଥିବାରୁ ବୃହତ୍ତ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି। ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ୧୭.୮୩ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଏଠାରେ ୧୭.୭୨ମିଟରରେ ଜଳ ପ୍ରଭାବିତ ହେଉଥିବା ଜଣାପଡିଛି। ଅତିବେଶିରେ ୧୮ମିଟର ଭିତରେ ଜଳ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏଥିପାଇଁ ଲୋକମାନେ ଭୟଭୀତ ନହେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ