ଟାୟାର ଜାଳି ରାସ୍ତା ଅବରୋଧବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବୋଡା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ ଚଢିଆପଲ୍ଲୀ ଗ୍ରାମର ରାଜକୁମାର ଲେଙ୍କା । ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳ ପ୍ରାୟ ସାଢେ ୧୦ ଟା ସମୟରେ ପୁରୁଣା ଡାଇଭର୍ସନ ରୋଡରେ ଏକ ପାଇପ ଧରି ବୋଡା ନଦୀ ପାର ହେଉଥିବା ସମୟରେ ପ୍ରଖର ଜଳରେ ଭାସି ଯାଇ ଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଉଦ୍ଧାରକରିପାରିନଥିଲେ । ଏହା ପରେ ବେଲଗୁଣ୍ଠା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩୫/୧୯ ରେ ଏକ ଅପମୃତ ମାମଲା ରୁଜୁ କରି ଶବବ୍ୟେବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ରାଜକୁମାର ଙ୍କ ମୃତ ଦେହ ଚଢିଆପଲ୍ଲୀ ଗ୍ରାମରେ ପହଞ୍ଚିବା ପରେ ଆମ୍ବପୁଆ ପଞ୍ଚାୟତର ଆମ୍ବପୁଆ, ଚଢିଆପଲୀ, ନାଇକପଡା, ବଜ୍ରଗଡ, ପଥରାପଲି ର ଉତ୍ତ୍ୟକ୍ତ ଗ୍ରାମବାସୀ ଶବକୁ ଧରି ବେଲଗୁଣ୍ଠା ସ୍ଥିତ ଜଗନ୍ନାଥ ପ୍ରସାଦ ରୋଡ୍ ଛକରେ ରାସ୍ତା ଉପରେ ରଖି ଅପରାହ୍ନ ୩ଟାରୁ ୫ଟା ପର୍ୟ୍ୟନ୍ତ ରାସ୍ତାରୋକ କରିଥିଲେ ।ଖବର ପାଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଭଞ୍ଜନଗର ଥାନାଧିକାରୀ ସୁଦିପ୍ତ କୁମାର ସାହୁ ଧାରଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।ସେମାନଙ୍କ ଦାବି ହେଲା, ବୋଡା ନଦୀ ପୋଲ କାମ ନେଇଥିବା ଠିକାଦାର ନଦୀର ଉଭୟ ପାର୍ଶ୍ବରେ ଥିବା ପଥର ବନ୍ଧକୁ ଭାଙ୍ଗି ପଥର ଗୁଡିକ ନେଇଯାଇଥିବାରୁ ଗଣ୍ଡ ସୃଷ୍ଟି ହେଲା ସେହି ଗଣ୍ଡ ଯୋଗୁଁ ଏକ ନିରୀହ ଜିବନ ଚାଲିଗଲା ।ସଂପୃକ୍ତ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ସହ ତୁରନ୍ତ ରାସ୍ତା ପାର ହେବା ପାଇଁ ଏକ ଡାଇଭର୍ସନ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ।ମୃତ ରାଜକୁମାର ଗତ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ ଓ ତାଙ୍କ ୩ବର୍ଷର ଝିଅଟିଏ ଅଛି ।ସେ କୃଷି କାର୍ୟ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ।ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।ତାଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦେବା ପାଇଁ ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ ଦାବି କରିଛନ୍ତି ।