ବ୍ଲକରେ ତାଲା ପକାଇଲେ ଜନପ୍ରତିନିଧି, ବିଡିଓଙ୍କ ବଦଳି ଦାବୀ ଜୋର ଧରିଲା

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀ ଜୋର ଧରିଲା। ଜନପ୍ରତିନିଧିମାନେ ନିଜ ନିଜ ଦାବୀରେ ଅଟଳ ରହିଛନ୍ତି। ଦୀର୍ଘଦିନରୁ ଧାରଣା ଦେଇଥିଲେ। ପ୍ରଶାସନ ହସ୍ତକ୍ଷେପ କରି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ ଜନପ୍ରତିନିଧିମାନେ। କିନ୍ତୁ ପ୍ରଶାସନର ପ୍ରତିଶୃତି ପାଣିରେ ଗାର ହୋଇ ରହିଥିଲା। ଏମାନଙ୍କ ଏକମାତ୍ର ଦାବୀ ପୁରଣ ନହେବା ପରେ ବୁଧବାର ପୁଣି ବ୍ଲକ ଅଧ୍ୟକ୍ଷ ପ୍ରମୋଦ ମଳିକ ଓ ଉପାଧ୍ୟକ୍ଷ ମିନତି ସୁନାଙ୍କ ନେତୃତ୍ତ୍ୱରେ ପୁଣି ବାଲିଗୁଡା ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଥିଲେ। ସକାଳ ୧୦ଟା ସମୟରେ ପଞ୍ଚାୟତ ସମିତିର ସମସ୍ତ ଜନପ୍ରତିନିଧି ମାନେ ଏକତ୍ରିତ ହୋଇ ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ବ୍ଲକ କାର୍ଯ୍ୟାଳୟର କୌଣସି କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ହେବାକୁ ଦେଇନଥିଲେ।ଜନପ୍ରତିନିଧିମାନେ କହିଛନ୍ତି ଯେ, ଆମେ ହେଲୁ ଜନତାଙ୍କ ନେତା। ଆମକୁ ଆମ ଅଞ୍ଚଳର ଲୋକମାନେ ଗ୍ରାମର ବିକାଶ କରିବା ନିମନ୍ତେ ଭୋଟ ଦେଇ ନିର୍ବାଚିତ କରି ସମିତିକୁ ପଠାଇଛନ୍ତି। କିନ୍ତୁ ବିଡିଓଙ୍କ ମନମୁଖୀ ଶାସନ, ର୍ଦୁବ୍ୟବହାର ଓ ଜନପ୍ରତିଧି ମାନଙ୍କୁ କିଛି ନ ବୁଝାଇ ସବୁ ମନଇଛା କାର୍ଯ୍ୟକରୁଥିବା ଓ ଅନ୍ୟାନ୍ୟ କାରଣକୁ ନେଇ ଆମେ ବିଡିଓଙ୍କ ବଦଳୀ ଦାବୀ ନେଇ ଗତ ମାସ ନଭେମ୍ବର ତିନି ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୪ଦିନ ଧରି ଧାରଣାରେ ବସିଥିଲୁ ଓ ୨୬ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଥିଲୁ। ଏହାର କିଛି ସମୟ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ ଓ ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର ଆସି ପ୍ରତିଶୃତି ଦେଇ କହିଥିଲେ ଯେ ଆସନ୍ତା ୭ ତାରିଖ ଦିନ ଭିତରେ ବିଡିଓଙ୍କ ବଦଳୀ ହୋଇଯିବ। ଏହାପରେ ଆମେ ଉପଜିଲ୍ଲାପାଳଙ୍କ କଥାକୁ ସମ୍ମାନ ଦେଇ ଧାରଣାରୁ ହଟିଥିଲୁ। କିନ୍ତୁ ୭ତାରିଖ ବିତିଯାଇଥିଲେ ସୁଧା ବିଡିଓଙ୍କ ବଦଳୀ ହେଲାନାହିଁ ଏଥିପାଇଁ ଆମେ ପୁଣି ବାଧ୍ୟ ହୋଇ ବିଡିଓଙ୍କ ବଦଳୀ ଦାବୀ ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛୁ। ଆମ ଜନପ୍ରତିନିଧି ମାନଙ୍କ କଥାକୁ କାହିଁକି ପ୍ରଶାସନ ଅଣଦେଖା କରୁଛି ବୋଲି ପ୍ରଶ୍ନ ବାଢିବା ସହ ଯେଉଁ ପର୍ଯ୍ୟନ୍ତ ଆମର ଏକାମାତ୍ର ଦାବୀ ବିଡିଓଙ୍କ ବଦଳି ନହେବ ସେତେ ପର୍ଯ୍ୟନ୍ତ ଏମିତି ତାଲା ପଡିରହିବ ଯଦି ପ୍ରଶାସନ ଆମକଥାକୁ ନଶୁଣେ ତେବେ ଆମେ ଆମ ସର୍ମଥକଙ୍କୁ ଆଣି ଆଇନକୁ ହାତକୁ ନେଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି। ତାଲା ପକାଇବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଯାଇ ଜନ ପ୍ରତିନିଧିମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଜନପ୍ରତିନିଧି ମାନେ ନିଜ ଜିଦରୁ ହଟି ନାହାନ୍ତି। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ସଲାଗୁଡା ସମିତିସଭ୍ୟ ଲକ୍ଷ୍ମିକାନ୍ତ ମଳିକ, କୁଟିକିଆ ସମିତିସଭ୍ୟା ସୁମିତ୍ରା ମଳିକ, ବାଟାଗୁଡା ସମିତିସଭ୍ୟା ସମିତା ମଳିକ, ଦଡକଙ୍ଗିଆ ସମିତି ସଭ୍ୟା ସଂଘମିତ୍ରା ବେହେରା, ବୁଡ୍ରୁକିଆ ସମିତିସଭ୍ୟା ଅଶୋକ ମଳିକ, ସିନ୍ଦ୍ରିଗାଁ ସମିତିସଭ୍ୟା ପଦ୍ମିନି ମଳିକ, ଲଣ୍ଡାଗାଁ ସମିତି ସଭ୍ୟା ପଦ୍ମା ଠେଲା ଓ ଅନ୍ୟମାନେ ଏହି ଆନ୍ଦୋଳନ ରେ ସାମିଲ ଥିଲେ। ଜନପ୍ରତିନିଧିମାନଙ୍କ ଏହି ଧାରଣା ଓ ତାଲା ପକାଇବାରେ ବ୍ଲକର ସମସ୍ତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ