ଭଙ୍ଗା ପ୍ଲାଟଫର୍ମ ପାଇଁ ବ୍ୟବହାରରେ ଆସୁନି ନଳକୂପ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ ଗଂଗଦା(ପାଇକସାହି) ଗାଁର ପାଳସାହିରେ ଥିବା ନଳକୂପର ପ୍ଲାଟଫର୍ମ ଭାଙ୍ଗି ଯିବା ହେତୁ ନଳକୂପକୁ ବ୍ୟବହାର କରିବାରେ ଅସୁବିଧା ହେଉଛି । ଫଳରେ ସ୍ଥାନୀୟ ଲୋକେ ପାଣି ପାଇଁ ଅସୁବିଧା ଭୋଗୁଥିବା ବେଳେ ନଳକୂପଟି ବ୍ୟବହାର ନ ହେବାରୁ ନଷ୍ଟ ହେବାକୁ ବସିଲାଣି । ସୂଚନା ମୁତାବକ ଗ୍ରାମ୍ୟ ଜଳ ଓ ପରିମଳ ଯୋଗାଣ ବିଭାଗ ପକ୍ଷରୁ ଉକ୍ତ ଗାଁର ପାଳସାହିରେ ନଳକୂପ ବସାଯାଇଥିଲା । ନଳକୂପ ବସିବା ସମୟରେ ପ୍ଲାଟଫର୍ମ ନିର୍ମାଣ କରାଯାଇ ନଥିବାରୁ ସ୍ଥାନୀୟ ଲୋକେ ନଳକୂପକୁ ବ୍ୟବହାର କରୁନଥିଲେ । ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରେ ବିଭାଗ ପକ୍ଷରୁ ଉକ୍ତ ନଳକୂପର ପ୍ଲାଟଫର୍ମ ନିର୍ମାଣ କରାଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ନଳକୂପକୁ ବ୍ୟବହାର କରି ଆସୁଥିଲେ । କିନ୍ତୁ ଉକ୍ତ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ପ୍ରାୟ ଏକ ବର୍ଷ ନପରୁଣୁ ପ୍ଲାଟଫର୍ମଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ପ୍ଲାଟର୍ଫମଟି ଭାଙ୍ଗିଯିବା ହେତୁ ଉକ୍ତ ନଳକୂପରୁ ପାଣି ନେବାରେ ଅସୁବିଧା ହେଉଛି । ଯାହାଫଳରେ ନଳକୂପଟିକୁ ବ୍ୟବହାର କରାଯାଉନଥିବା ସ୍ଥାନୀୟ ଲୋକ କହିଛନ୍ତି । ନଳକୂପଟିକୁ ବ୍ୟବହାର କରାଯାଉ ନଥିବାରୁ ତାହା ନଷ୍ଟ ହେବାକୁ ବସିଲାଣୀ । ତେଣୁ ଉକ୍ତ ନଳକୂପର ପ୍ଲାଟଫର୍ମକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ