ଭାରତରେ ପୁଞ୍ଜୀ ନିବେଶ କରିବାକୁ ଆକୃଷ୍ଟ ହେଉଛନ୍ତି ବିଦେଶୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) – ଭାରତରେ ଆଗକୁ ବଢୁଥିବା ଉର୍ଜା କ୍ଷେତ୍ର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଥିବା ବେଳେ ଦେଶର ଉର୍ଜା ସୁରକ୍ଷା ଏବଂ ସ୍ଥାୟୀ ଉର୍ଜା ଉବିଷ୍ୟକୁ ସନିଶ୍ଚିତ କରିବା ପାଇଁ ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଦେଶକୁ ସ୍ୱାଗତ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ବ୍ଲୁମବର୍ଗ ଏନ୍ଇଏଫ୍ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭାରତର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଥିବାବେଳେ ନିକଟ ଭବିଷ୍ୟତରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ତଥା ଭାରତକୁ ସୁରକ୍ଷିତ ରଖିବା ପାଇଁ ଦେଶର ୧.୩ ବିଲିୟନ ଲୋକଙ୍କ ପାଖରେ ଉର୍ଜା ପହଁଚାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ଦେଶରେ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାଇଡ୍ରୋକାର୍ବନ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇ ବିକଳ୍ପ ଉର୍ଜା ବାହାର କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ସୁଦୃଢ ହୋଇପାରିଛି ।ଦେଶରେ ମଜବୁତ୍ ଘରୋଇ ଅର୍ଥ ବ୍ୟବସ୍ଥା ଏବଂ ପରିବେଶ ସହାୟକ ନୀତି ଯୋଗୁଁ ଭାରତ ସରକାର ଦେଶର ଆର୍ଥିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ପରିବେଶ ପ୍ରଦୂଷଣ ଆମ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।


