ଭାରତରେ ହିରୋ ବିକିବ ହାର୍ଲି-ଡେଭିଡ୍‌ସନ୍ ବାଇକ୍

ନୂଆଦିଲ୍ଲୀ: ଆମେରିକୀୟ ବାଇକ୍ କଂପାନି ହାର୍ଲି-ଡେଭିଡ୍‌ସନ୍ ଭାରତରେ ଏହାର ବ୍ୟବସାୟ ଜାରି ରଖିବା ଲାଗି ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହା ହିରୋ ମୋଟୋକର୍ପ ସହ ବୁଝାମଣା ସ୍ବାକ୍ଷର କରିଛି। ଭାରତରେ ହିରୋ ପକ୍ଷରୁ ହାର୍ଲି-ଡେଭିଡ୍‌ସନ୍‌ ବାଇକ୍ ବିକ୍ରି କରାଯିବ। ଦୁଇ କଂପାନି ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ହାର୍ଲି ଡେଭିଡ୍‌ସନ୍‌ ମୋଟରସାଇକଲ୍‌ର ବିକ୍ରି ଓ ସର୍ଭିସିଂ ସହିତ ପାର୍ଟସ୍‌ ଓ ଆକ୍‌ସେସୋରିଜ, ‌ସାଧାରଣ ପ୍ରକାରର ସାମଗ୍ରୀ, ରାଇଡିଂ ଗିୟର ଓ ପୋଷାକ ଆଦିକୁ ହିରୋ ବିକ୍ରି କରିବ। ଦେଶରେ ହାର୍ଲି-ଡେଭିଡ୍‌ସନ୍‌ର ଥିବା ଡିଲର୍‌ସିପ୍‌ ଓ ହିରୋ ମୋଟୋକର୍ପର ନେଟ୍‌ୱର୍କ ଜରିଆରେ ଏହି ସୁବିଧା ହିରୋ ଯୋଗାଇ ଦେବ। କେବଳ ବିକ୍ରି ନୁହେଁ ହାର୍ଲି-ଡେଭିଡ୍‌ସନ୍‌ ପାଇଁ ହିରୋ ମୋଟରସାଇକଲ୍ ମଧ୍ୟ ବିକଶିତ କରିବ। ତେବେ କେଉଁ ଧରଣର ମୋଟରସାଇକଲ୍ ହିରୋ ତିଆରି କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭାରତ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଅନୁସାରେ ଏଣ୍ଟ୍ରି ଲେବଲ୍‌ ବାଇକ୍‌କୁ ହାର୍ଲି ପାଇଁ ହିରୋ ବିକଶିତ କରିପାରେ ବୋଲି ଅନୁମାନ କରାଯାଉଛି। ହାର୍ଲିର ସବୁଠୁ ସୁଲଭ ମୂଲ୍ୟର ବାଇକ୍ ଷ୍ଟ୍ରିଟ୍ ୭୫୦କୁ ଭାରତରେ ନିର୍ମାଣ କରାଯାଉଛି। ଚଳିତ ବର୍ଷ ସେପ୍ଟେମ୍ବରରେ ହାର୍ଲି ଘୋଷଣା କରିଥିଲା ଯେ ଏହା ଭାରତ‌ କାରବାରକୁ ବନ୍ଦ କରିବ ଏବଂ ବ୍ୟବସାୟ ମଡେଲ୍‌ରେ ପରିବର୍ତ୍ତନ ଆଣିବ। ଏବେ ହିରୋ ସହିତ ହୋଇଥିବା ବୁଝାମଣା ସମ୍ପର୍କରେ କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ଉଭୟ ସଂସ୍ଥା ପାଇଁ ଲାଭଦାୟକ ହେବ। ବିଶ୍ବସ୍ତରୀୟ ପ୍ରିମିୟମ୍ ବାଇକ୍ ନିର୍ମାତା କୌଣସି ଭାରତୀୟ ଗାଡ଼ି ନିର୍ମାଣକାରୀ ସଂସ୍ଥା ସହ ବୁଝାମଣା କରିବା ଏହା ନୂତନ ଘଟଣା ନୁହେଁ। ଅଷ୍ଟ୍ରେଲିଆର କଂପାନି କେଟିଏମ୍ ଓ ବ୍ରିଟେନ୍‌ର ଟ୍ରାମ୍ଫ ମୋଟରସାଇକଲ୍ ପକ୍ଷରୁ ବଜାଜ ଅଟୋ ସହ ବୁଝାମଣା କରାଯାଇଛି। ସେହିପରି ବିଏମ୍‌ଡବ୍ଲ୍ ମୋଟୋରାଡ୍ ପକ୍ଷରୁ ଟିଭିଏସ୍‌ ମୋଟର୍‌ କଂପାନି ସହ ବୁଝାମଣା କରାଯାଇଛି। ବ୍ରିଟେନ୍‌ର ମୋଟରସାଇକଲ୍ ସଂସ୍ଥା ନର୍ଟନ୍ ମଧ୍ୟ ଟିଭିଏସ୍‌ ସହ ବୁଝାମଣା କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ