ଭାଲୁ ପ୍ରେମରେ “ଭେରା’
ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି । ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା ଆଗରୁ ନିଶ୍ଚିତ ଶହେ ଥର ଚିନ୍ତା କରିବ । ଏ କ୍ଷେତ୍ରରେ ଭେରା ବ୍ଲିଶ୍ଙ୍କ କାହାଣୀ ଟିକେ ଅଲଗା । ଯେଉଁ ଭାଲୁ ଆକ୍ରମଣ କରି ତାଙ୍କ ଗୋଡ଼ ଖାଇଗଲା ଆଉ ଯାହା ଲାଗି ସେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ, ସେହି ହିଂସ୍ର ଭାଲୁ ପ୍ରେମରେ ସେ ପାଗଳ । ରୁଷିଆର ଉସରିସ୍କ ସହରରେ ଥିବା ଏକ ଜୁ’ରେ ମଣିଷ-ଭାଲୁ ମଧ୍ୟରେ ଗଢ଼ିଉଠିଥିବା ନିଆରା ସମ୍ପର୍କ ଏବେ ଚର୍ଚ୍ଚାରେ ।
ଭେରା-ମାନ୍ୟୁନ୍ୟା (ମାଈ ଭାଲୁ)ଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷର କାହାଣୀ ଜାଣିବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ଅତୀତକୁ । ଦୀର୍ଘ ୨୫ବର୍ଷ ହେଲା ଜଣେ ଜୁ’ କିପର ଭାବେ କାମ କରୁଛନ୍ତି ଭେରା । ଗତ ସେପ୍ଟେମ୍ବର ୨୫ରେ ସେ ଜଣେ ଯୁବକଙ୍କୁ ଭାଲୁଙ୍କ ଯତ୍ନ କିପରି ନେବାକୁ ହୁଏ ତାହା ବୁଝାଉଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଗଲା । ସେ “ମାନ୍ୟୁନ୍ୟା’ ରହୁଥିବା ଜନ୍ତା ନିକଟକୁ ଚାଲିଆସିଲେ । କିଛି ବୁଝିବା ଆଗରୁ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଦେଲା । ଏଥିରେ ଗୁରୁତର ଭାବେ ଆଘାତପ୍ରାପ୍ତ ହେଲା ତାଙ୍କ ଗୋଡ଼ । ଏକାଧିକ ସ୍ଥାନରେ ହାଡ଼ ଭାଙ୍ଗିଗଲା । ପରିସ୍ଥିତି ଏମିତି ହେଲା ଯେ, ଡାକ୍ତରମାନେ ତାଙ୍କ ଗୋଡ଼ କାଟିଦେବାକୁ ବାଧ୍ୟ ହେଲେ । ସର୍ଜରି ଶେଷ ହେଲା । ଭେରାଙ୍କ ଚେତା ଆସିବା ପରେ ତାଙ୍କ ମୁହଁର ପ୍ରଥମ ଶବ୍ଦ ଥିଲା “ମାନ୍ୟୁନ୍ୟା’ । ସାଧାରଣତଃ ଚିଡ଼ିଆଖାନାରେ ଥିବା ଯେକୌଣସି ଜଙ୍ଗଲୀ ଜନ୍ତୁ ରକ୍ତମୁଖା ହୋଇଉଠିଲେ, ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତା ବଢ଼ାଇଥାଏ । କର୍ମଚାରୀଙ୍କୁ ଆକ୍ରମଣ ଆଶଙ୍କା ଥିବାରୁ ତାକୁ ତୁରନ୍ତ ଜଙ୍ଗଲରେ ଛାଡ଼ି ଦିଆଯାଇଥାଏ । ହେଲେ ଭେରା କିନ୍ତୁ ଏପରି ଦୁର୍ଘଟଣା ପାଇଁ “ମାନ୍ୟୁନ୍ୟା’କୁ ଦାୟୀ କରିନାହାନ୍ତି । ନିଜର ଅସାବଧାନତାରୁ ଏପରି ଘଟିଥିବା ସେ କହିଛନ୍ତି । ଏଥିସହ ଜୁ’ରେ “ମାନ୍ୟୁନ୍ୟା’ର ତଦାରଖ ପୂର୍ବ ପରି ଜାରି ରଖିଛନ୍ତି । କୌଣସି ଜଙ୍ଗଲୀ ଜନ୍ତୁ ମଣିଷକୁ ପ୍ରଥମେ ଆକ୍ରମଣ କରେନାହିଁ । ନିଜ ଉପରକୁ ବିପଦ ଆଶଙ୍କା ନ ଥିଲେ କିମ୍ବା ତାକୁ ବିରକ୍ତ ନ କଲା ଯାଏ ସେମାନେ ଶାନ୍ତ ଥାଆନ୍ତି ବୋଲି ଭେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ।


