ଭୁବନେଶ୍ବର ମାର୍କେଟ ବିଲ୍ଡିଂ କଡ଼ରେ ଆତଙ୍କରାଜ
ଭୁବନେଶ୍ବର : ରାଜଧାନୀର ହୃତପିଣ୍ଡ କୁହାଯାଉଥିବା ମାର୍କେଟ ବିଲ୍ଡିଂ କଡ଼ରେ ହୋଇଛି ଆତଙ୍କରାଜ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ଛ’ଟାରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ଥିବା ମାର୍କେଟ ବିଲ୍ଡିଂ କଡ଼ରେ ଉଠାଦୋକାନୀମାନଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ପ୍ରବଳ ମାଡ଼ ମାରିବା ସହିତ ଶହେରୁ ଅଧିକ ଦୋକାନ ଭାଙ୍ଗି ଦେଇଛନ୍ତି। କ୍ୟାପିଟାଲ ଥାନାଠାରୁ ମାତ୍ର ଶହେ ମିଟର ଆଗରେ ଥିବା ଏହି ଜନଗହଳି ପୂର୍ଣ୍ଣ ବଜାରରେ ଏ ପ୍ରକାର ଖୋଲା ଆତଙ୍କରାଜ ହୋଇଛି। ସୋମବାର ସନ୍ଧ୍ୟା ସମୟରେ ପ୍ରାୟ ୨୫ ଜଣ ଗୁଣ୍ଡା ଶ୍ରେଣୀର ଯୁବକ ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଉଠାଦୋକାନୀ ଓ ସାଧାରଣ ଲୋକଙ୍କୁ ଅନ୍ଧାଧୂନ ବାଡେଇ ଫେରାର ହୋଇଯାଇଥିଲେ। ସନ୍ଧ୍ୟାର ଏହି ସମୟରେ ମାର୍କେଟ ବିଲ୍ଡିଂରେ ପ୍ରବଳ ଜନଗହଳି ଲାଗିଥାଏ। ଏମିତି ଏକ ସମୟରେ ଏ ପ୍ରକାର ଆକ୍ରମଣ ପୋଲିସର ଅପାରଗତା ଯୋଗୁଁ ହିଁ ଘଟୁଛି ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ରେ ଅନେକ ଦୋକାନୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତିରେ ସ୍ଥାନୀୟ କିଛି ଲୋକଙ୍କ ସହିତ ଦୋକାନୀମାନଙ୍କର ଝଗଡା ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ହୋଇଥାଇପାରେ ବୋଲି କୁହାଯାଉଛି। ଆକ୍ରମଣକାରୀଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା କହୁଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି।


