ହୋସ୍ଲା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ବର : ଜାତୀୟ ପ୍ରତିଯୋଗିତା ‘ହୋସ୍ଲା-୨୦୧୯ରେ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ ୩୦ଟି ପଦକ ଜିତି ଜାତୀୟ ଚାମ୍ପିଅନ ହୋଇଛନ୍ତି। ଗତ ଡିସେମ୍ବର ନୂଆଦିଲ୍ଲୀଠାରେ ହୋସ୍ଲା-୨୦୧୯ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ ୧୪ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଜିତିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ପିଲାମାନଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ହୋସ୍ଲା-୨୦୧୯ରେ ଏକାଧିକ ପଦକ ଜିତିଥିବା ରଞ୍ଜିତା ପାତ୍ରଙ୍କୁ ଏକ ଲକ୍ଷ ପଚାଶ ହଜାର ଟଙ୍କା, ନନ୍ଦିତା ନାୟକଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର, ଅର୍ଚ୍ଚିତା ଗୁପ୍ତାଙ୍କୁ ୯୫ ହଜାର ଟଙ୍କା, ପ୍ରସାଦ ଗମାଙ୍ଗଙ୍କୁ ୮୫ ହଜାର ଟଙ୍କା ଏବଂ ବିରାମ ହେମ୍ବ୍ରମ୍ଙ୍କୁ ୭୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।


