୨୨ତମ ଚାନ୍ଦିପୁର ବେଳାଭୂମି ମହୋତ୍ସବର ୨ୟ ସଂଧ୍ୟାରେ ଝୁମିଲେ ଦର୍ଶକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଉତ୍ସବ ମାଧ୍ୟମରେ କଳା, ସଂସ୍କୃତି ଓ ସଂହତିର ରକ୍ଷା ହୁଏ । ଏଣୁ ଏଭଳି ମହୋତ୍ସବର ଆବଶ୍ୟକତା ଅଛି । ବାଲେଶ୍ୱରର ମାଟି ଫକୀରମୋହନଙ୍କ ମାଟି । ଫକୀରମୋହନ କେବଳ ବାଲେଶ୍ୱର କି ଓଡ଼ିଶାର ନୁହେଁ, ସେ ସମଗ୍ର ଦେଶର ଗର୍ବ । ତାଙ୍କ ଲେଖା ଥିଲା ଜୀବନ୍ତ ଓ ପ୍ରାଣବନ୍ତ । ସେହିଭଳି ମଣିଷଙ୍କୁ ଜନ୍ମ ଦେଇ ଏ ମାଟି ପବିତ୍ର । ଇରମ୍ ଓ ଇଂଚୁଡ଼ିର ସ୍ମୃତିକୁ ମନେ ପକାଇ ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ତଥା ୨ୟ ଦିନ ଉତ୍ସବର ମୁଖ୍ୟ ଅତିଥି ମାନ୍ୟବର ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ କି ପାଇକ ବିଦ୍ରୁହ ଏବେ ୨୦୦ବର୍ଷ ପୂର୍ତ୍ତୀ ପାଳନ କରୁଛି । ତାହା ପ୍ରଥମ ଇଂରେଜ ବିରୋଧି ଆନ୍ଦୋଳନ ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତି ମଧ୍ୟ ଏବେ ପାଇଛି । ସେ ବୀରତ୍ୱ ଏବେ ଓଡ଼ିଆଙ୍କ ପାଖରେ କାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ତୁଡ଼ିଗଡ଼ିଆରର ସ୍ମୃତି ମନେ ପକାଇ କହିଥିଲେ କି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜମାନଙ୍କ ବରୋଧରେ ଲଢ଼େଇ କରି ଏ ଜିଲ୍ଲା ଯେଉଁ ଗୌରବ ବହନ କରୁଛି, ସେହି ମାଟିରେ ଆୟୋଜିତ ଉତ୍ସବରେ ଛିଡ଼ା ହୋଇ କହିବା ବେଳେ ମୁଁ ନିଜକୁ ଗୌରାବାନ୍ୱିତ ମନେ କରୁଛି । ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହୋତ୍ସବ କମିଟିର ସାଧାରଣ ସଂପାଦକ ହରେକୃଷ୍ଣ ଦାଶ ଚାନ୍ଦିପୁର ବେଳାଭୂମି ପାଇଁ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଠାରୁ ଅଧିକରୁ ଅଧିକ ସହଯୋଗ ରହିଲେ ଏହା ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର ହେବାରେ ସଫଳ ହୋଅନ୍ତା ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଉତ୍ସବରେ ଯୋଗଦେଇ ଭଦ୍ରକର ସାସଂଦ ମଂଜୁଲତା ମଣ୍ଡଳ ମହୋତ୍ସବ କମିଟିକୁ ଧନ୍ୟବାଦ ଜଣେଇ ଥିଲେ, ତାଙ୍କୁ ନିମନ୍ତ୍ରଣ କରିଥିବାରୁ । ଭଦ୍ରକର ବାଂଛାନିଧି ମହାନ୍ତି, ବୀର ବିପ୍ଳବୀ ବାଘାଯତୀନଙ୍କୁ ମନେପକେଇ କହିଥିଲେ କି ଏ ମାଟି ବିପ୍ଳବର ମାଟି । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର କହିଥିଲେ କି ବାଲେଶ୍ୱର ମାଟି ରାଧାନାଥ, ଫକୀରମୋହନ ଓ ଦୀନକୃଷ୍ଣଙ୍କ ମାଟି । ଏ ମାଟି ବୀର ବାଘାଯତୀନଙ୍କ ବୀରତ୍ୱକୁ ବି ବହନ କରୁଛି । ଏଭଳି ଜିଲ୍ଲାରେ ଚାନ୍ଦିପୁରର ଅନନ୍ୟ ବେଳାଭୂମୀ ଆମକୁ ପ୍ରକୃତିର ଦାନ ଅଟେ । ଆଜିର ଉତ୍ସବରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ମହୋତ୍ସବ କମିଟିର ଉପସଭାପତି ତଥା ଆମ ନ୍ୟୁଜର ନିର୍ଦ୍ଦେଶକ ବିପ୍ଲବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ବରେଣ୍ୟ ସାହିତ୍ୟକ ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ସଂପାଦନାରେ ସୁବର୍ଣ୍ଣ ବେଳାଭୂମୀ ମହୋତ୍ସବ କମିଟିର ମୁଖପତ୍ର ‘ସୁବର୍ଣ୍ଣ ସିକତା’କୁ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ସ୍ମରଣିକାର ସଂପାଦନା ମଣ୍ଡଳୀ ମଧ୍ୟ ଏହି ଅବସରରେ ମଂଚରେ ଉପସ୍ଥିତ ଥିଲେ । ଅତିରିକ୍ତ ସାଧାରଣ ସଂପାଦକ ଭାବଗ୍ରାହୀ ମହାନ୍ତି, ସଂପାଦକ ସମରେନ୍ଦ୍ର ନାଥ ଦାସ, ଭାଗବତ ସାହୁ, କୋଷାଧକ୍ଷ୍ୟ ମାଧବାନନନ୍ଦ ମିଶ୍ର, ସୁକୁମାର ରଣା, ଗଂଗାଧର ରାଉତ, ସେକ୍ ଆଲାମ୍, ତପନ ଜେନା, ଅପର୍ଣ୍ଣା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ସଂପାଦକ କିଶୋର ଚନ୍ଦ୍ର ଦାସ ଅତିଥିଙ୍କୁ ମଂଚ ଆବାହନ କରିଥିଲା ବେଳେ ଶେଷରେ କମିଟିର ଉପସଭାପତି ବିପ୍ଲବ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଂଗୀତଜ୍ଞ ଅମୃତାଂଶୁ ପଟ୍ଟନାୟକ ଓ ତାଙ୍କ ସାଥୀ ଆବାହନୀ ସଂଗୀତ ପରିବେଶଣ କରିଥିଲେ । ବିସିଇଟିର ନିର୍ଦ୍ଦେଶକ ତଥା ଉତ୍ସବ କମିଟିର ଯୁଗ୍ମ ସଂପାଦକ ଶ୍ରୀମାନ ଶ୍ରୀଚନ୍ଦନ ମହାନ୍ତି ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବାଲେଶ୍ୱର ଜିଲ୍ଲାର ଆଂଚଳିକ କଳାକାର ମାନଙ୍କ ସହିତ ଆସାମର ବିହୁ, ଖୋର୍ଦ୍ଧାର ମୂର୍ତ୍ଥନା ଅନୁଷ୍ଠାନ ଦ୍ୱାରା ଗୋଟିପୁଅ ନୃତ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାରହଜାର ଦର୍ଶକ ମତୁଆଲା ହୋଇ ନାଚୁଥିବାର ଦୃଶ୍ୟ ବେଶ୍ ମନୋହର କରିଥିଲା ବେଳାଭୂମି ମହୋତ୍ସବକୁ ।


