ମତ୍ସ୍ୟଜିବୀ ପରିବାର ପକ୍ଷରୁ ଡଙ୍ଗା ପୂଜା
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ଚୈତ୍ର ପୂର୍ଣ୍ଣିମା। ପାରମ୍ପରିକ ପ୍ରଥାନୁସାରେ ସମୁଦ୍ର, ନଦୀ ତଟବର୍ତ୍ତି ମତ୍ସ୍ୟଜିବୀ ପରିବାର ପକ୍ଷରୁ ଡଙ୍ଗା ପୂଜା ଓ ଚଇତି ପର୍ବ ଅନୁଷ୍ଠିତ ହୋଇଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସହନ ଗ୍ରାମ ର ଶହ ଶହ ମତ୍ସ୍ୟଜିବୀ ଓ ସେମାନଙ୍କ ପରିବାର ଲୋକେ ନବ ବସ୍ତ୍ର ପରିଧାନ କରି ମା ଗଙ୍ଗାଦେବୀ ଙ୍କ ପୀଠରେ ଏକାଠି ହୋଇ ନିଜ ନିଜ ର ଡଙ୍ଗା କୁ ଫୁଲ, ଚନ୍ଦନ, ସିନ୍ଦୁର,ସାଲୁକପଡା ଦେଇ ପୂଜା କରିଥିଲେ ଓ ଦୀପ ଜାଳି ଡଙ୍ଗା କୁ ବନ୍ଦାପନା କରିଥିଲେ। ଚୈତ୍ର ପୂର୍ଣ୍ଣିମା ରେ ଡଙ୍ଗା କୁ ପୂଜା କଲେ ମା ମଙ୍ଗଳାଖୁସି ହୁଅନ୍ତି। ବର୍ଷ ସାରା ମାଛ ମାରିବା ରେ କୌଣସି ବିପଦ ସୃଷ୍ଟି ହୋଇ ନ ଥାଏ ବୋଲି ମତ୍ସ୍ୟଜିବୀମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଆଜି ସନ୍ଧ୍ୟାରୁ ଚଇତି ଘୋଡ଼ା ନାଚ ଆରମ୍ଭ ହୋଇ ବୈଶାଖ ପୂର୍ଣ୍ଣିମା ରେ ଶେଷ ହେବା ପରମ୍ପରା ଆମ ଉପକୂଳ ଅଞ୍ଚଳ ରେ ରହି ଆସିଛି କାହିଁ କେତେ କାଳରୁ। ସହନ ର ମାଗଙ୍ଗାଦେବୀ ଙ୍କ ପୀଠ ଠାରେ ମହେଶ୍ୱର ବେହେରା, ବାବାଜୀ ବେହେରା, ଗୁଣ୍ଡିଚା ବେହେରା,ନବଘନ ବେହେରା, ବିକ୍ରମ ବେହେରା, ବଳରାମ ବେହେରା,ସୁଦର୍ଶନ ବେହେରା, ଅମିନ ବେହେରା, ରାଜେଶ ବେହେରା, କୈଳାସ ବେହେରା, କାଳନ୍ଦୀ ବେହେରା ପ୍ରମୁଖ ଶତାଧିକ ମତ୍ସ୍ୟ ଜିବୀ ଓ ସେମାନଙ୍କ ପରିବାର ବର୍ଗ ଡଙ୍ଗା ପୂଜା କରିଥିଲେ। ଲୁଣା ନଦୀ କୂଳ ଓ ମା ଗଙ୍ଗାଦେବୀ ପୀଠ ଉତ୍ସବ ମୁଖର ହୋଇପଡ଼ିଥିଲା।


