ମଦ ଦୋକାନୀଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ମଦ ଦୋକାନୀଙ୍କୁ ଅନୁକମ୍ପା ଦେଖାଇଛନ୍ତି ସରକାର। କୋଭିଡ୍‌ ମୁକାବିଲାରେ ମଦ ଦୋକାନ ବନ୍ଦ ରହିଥିବାରୁ ସରକାର ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନୀଙ୍କୁ ୨ ମାସର ଲାଇସେନ୍ସ ଫି ଓ ୩ ମାସର ମାସିକ ବିକ୍ରି କୋଟା ଛାଡ଼ କରିଛନ୍ତି। ଦେଶୀ ମଦ ଦୋକାନୀଙ୍କୁ ୩ ମାସର ଏମ୍‌ଜିକ୍ୟୁ ସହ ୩ ମାସର ଲାଇସେନ୍ସ ଫି ମଧ୍ୟ ଛାଡ଼ କରାଯାଇଛି। ଯେଉଁମାନେ ଅଗ୍ରୀମ ଜମା କରିସାରିଛନ୍ତି ସେମାନଙ୍କୁ ଆସନ୍ତା ଆର୍ଥିକ ବର୍ଷ ଆରମ୍ଭରେ ନବୀକରଣ ବେଳେ ଆଡ୍‌ଜଷ୍ଟ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଅନ୍‌ଲାଇନ୍‌ରେ ମଦ ଯୋଗାଇବା ବ୍ୟବସ୍ଥା ପୂର୍ବବତ୍‌ ଜାରି ରହିବ ବୋଲି କୁହାଯାଇଛି। ବିଜ୍ଞପ୍ତି ମୁତାବକ, ବାକି ରହିଥିବା ବାର୍ଷିକ କୋଟାକୁ ଦୋକାନୀମାନେ ୨୦୨୦-୨୧ ଆର୍ଥିକ ବର୍ଷ ଭିତରେ ପୂରଣ କରିବେ। ଯେଉଁମାନେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ଠାରୁ ମାର୍ଚ୍ଚ ମାସରେ ଲାଇସେନ୍ସ ଫି ବାବଦକୁ ଆଦାୟ ହେବାକୁ ଅଗ୍ରୀମ ଅର୍ଥ କନ୍‌ସିଡରେସନ ମନି ଆଜି ସୁଦ୍ଧା ଆଦାୟ ହେବ। ଏହି ଅର୍ଥ ଆଦାୟ ହୋଇନ ଥିଲେ ଲାଇସେନ୍ସ ନବୀକରଣ କରାଯିବ ନାହିଁ। ଏହି ଅଗ୍ରୀମ ଅର୍ଥ ଛଡ଼ା ଗୋଟିଏ ମାସର କନ୍‌ସିଡରେସନ ମନି ଦୋକାନୀ ସିକ୍ୟୁରିଟି ବାବଦକୁ ଜମା କରିବ। ଠିପି ଖୋଲା ବା ବିୟର ପାର୍ଲରଗୁଡ଼ିକ କନ୍‌ସିଡରେସନ ମନି ମାସିକିଆ ଜମା କରିବେ। ପୂର୍ବରୁ ଏହି ଅର୍ଥ ତିନିମାସରେ ଥରେ ଜମା ହେଉଥିଲା। ଆର୍ଥିକ ବର୍ଷରୁ ତିନିମାସ ଲାଇସେନ୍ସ ଫି ଛାଡ଼ କରାଯାଇଛି। ବାକି ରହିଥିବା ୯ ମାସର ସଲ୍‌ଭେନ୍ସି ପ୍ରମାଣପତ୍ର ପ୍ରସ୍ତୁତ କଲାବେଳେ ୧୨ ମାସର ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଜମା କରିବାକୁ ପଡ଼ିବ। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ