ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ୩ଦିନ ପରେ ମଧ୍ୟ ପଡି ରହିଛି କୁଢ଼ କୁଢ଼ ଅଇଣ୍ଠା ପ୍ଲେଟ୍‌: ସଫା ହେବ କେବେ ?

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ଗୁରୁବାର ଓ ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା । ତେବେ କାର୍ଯ୍ୟକ୍ରମ ସରିବାର ୩ ଦିନ ପରେ ବିଭିନ୍ନ ସ୍ଥାନରେ ପଡ଼ିଥିବା ବହୁ ଅଇଣ୍ଠା ଥାଳି (ଥର୍ମୋକଲ ପ୍ଲେଟ)ଗୁଡ଼ିକୁ ଉଠାଇ ନଷ୍ଟ କରାଯାଇ ନ ଥିବାରୁ ତାହା ଏଣେତେଣେ ପଡ଼ି ଦୁର୍ଗନ୍ଧ ହେଉଛି । ଏପରିକି ଥାଳିଗୁଡ଼ିକ ପବନରେ ଉଡ଼ି ଲୋକଙ୍କ ଘରେ ମଧ୍ୟ ପଶୁଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ, ମନ୍ତ୍ରୀ ଗୁରୁବାର ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ିରେ ପହଞ୍ଚିବା ପରେ ଶୁକ୍ରବାର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁଠାରେ ଏସ୍‌ଏଚ୍‌ଜିଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ଅପରାହ୍ନରେ ଦଳୀୟ କର୍ମୀଙ୍କୁ ନେଇ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଏହି ଦୁଇଟି କାର୍ଯ୍ୟକ୍ରମ ରେ ଶତାଧିକ ମହିଳାଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରାଯାଇଥିଲା । ପ୍ରତି ବୈଠକରେ ଯୋଗଦାନ କରିଥିବା ମହିଳାମାନେ ଖାଇବା ପ୍ଲେଟ ଛାଡି ଯାଇଥିଲେ । ବର୍ତ୍ତମାନ ତାହା ସଫେଇ ନ କରି ଛାଡ଼ି ଦିଆଯାଇଥିବାରୁ ଏବେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ପଟେ ବ୍ଲକ ପ୍ରଶାସନ ସ୍ବଚ୍ଛ ଭାରତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କିପରି ଅଇଣ୍ଠା ଥାଳି ଉଠାଗଲାନି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି    ସେହିପରି ହେଲିପ୍ୟାଡ୍‌ ପଡ଼ିଆ ଠାରେ ହୋଇଥିବା ଦଳୀୟ କାର୍ଯ୍ୟକ୍ରମକୁ ଆସିଥିବା କର୍ମୀଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ସେଠାରେ ମଧ୍ୟ କୁଢ଼ କୁଢ଼ ଅଇଣ୍ଠା ଥାଳି ଏଣେ ତେଣେ ପଡ଼ିଛି। ଫଳରେ ନିକଟରେ ଥିବା ମହାବିଦ୍ୟାଳୟର ଛାତ୍ରୀଛାତ୍ର ସ୍ଥାନୀୟ ଲୋକଙ୍କୁ ଓ ଲୋକ ପ୍ରତିନିଧିମାନଙ୍କୁ ଏଭଳି ଅଳିଆ ଆବର୍ଜନା ନ କରିବାକୁ ପରାମର୍ଶ ଦେଉଥିବା ଭିଡିଓ ଏବେ ଘୂରିବୁଲୁଛି l  ଏନେଇ ଓଡ଼ିଶା ମିଶନ ଶକ୍ତିର ବିପିଏମ୍‌ ପିଣ୍ଟୁ ନାୟକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ ଅଫ୍‌ ଥିବାରୁ ସମ୍ଭବ ହୋଇ ନ ଥିଲା । ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ମତ ନିଆଯିବାରୁ ସେ ଏନେଇ ଉକ୍ତ ବିଭାଗର ଅଧିକାରୀଙ୍କୁ ଜଣାଇ ସଫେଇ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ