ମନ୍ତ୍ରୀଦ୍ୱୟଙ୍କୁ ସ୍ୱାଗତ ଓ ଅଭିନନ୍ଦନ – କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତାପ ଦେବ ଏବଂ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀପଦ ପାଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ସ୍ୱାଗତ ଓ ଅଭିନନ୍ଦନ । ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଜନତାଦଳ ସରକାରରେ ୩ ଜଣ ପ୍ରମୁଖ ମନ୍ତ୍ରୀ ସମଗ୍ର ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ । ତତ୍କାଳୀନ ସମୟରେ କେନ୍ଦ୍ରାପଡା ଜିଲ୍ଲାର ଆଶାନୁରୂପ ଉନ୍ନତି ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାର ବିକାଶ ମୋର ଦାୟିତ୍ୱ ବୋଲି ଘୋଷଣା କରିଥିଲେ । ଉନ୍ନତିର ନିଦର୍ଶନ ସ୍ୱରୂପ ମହାଭୋଇ ପୋଖରୀର ସୈାନ୍ଦର୍ଯ୍ୟକରଣ, ବଳଦେବ ମନ୍ଦିରର ଉନ୍ନତି ଏବଂ ଗୋବରୀ ନଦୀର ଜଳ ନିଷ୍କାସନ ସହ ପାରିପାଶ୍ୱର୍ିକ ଉନ୍ନତି ପାଇଁ ଅର୍ଥ ବ୍ୟବସ୍ଥା କରିଛନ୍ତି । ଯାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ରାଜ୍ୟରେ ଆମ ଜିଲ୍ଲା ସବା ତଳେ ସ୍ଥାନିତ । ସଂଗଠନ ପକ୍ଷରୁ ମନ୍ତ୍ରୀ ଦ୍ୱୟଙ୍କୁ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ସ୍ଥାପନା ପାଇଁ ବର୍ତ୍ତମାନର ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଉପସ୍ଥିତିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଭିତ୍ତିଭୂମି ବିକାଶ ଯଥା ଜଳସେଚନ, ଜଳ ନିଷ୍କାସନ, ଗୋଦାମ ଘର, ଶୀତଳ ଭଣ୍ଡାର ପ୍ରତିଷ୍ଠା ଏବଂ ତିନିମୁହାଣୀ ଶିଳ୍ପାଞ୍ଚଳର ପୁନରୁଦ୍ଧାର, ବଳଦେବଜୀଉ ପାୱାରଲୁମ୍ କାର୍ଯ୍ୟକାରୀ କରିବା ସହିତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ବିଶ୍ୱବିଦ୍ୟାଳୟ ଏବଂ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଓୟୁଏଟିର ଦ୍ୱିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ଆଦି କାର୍ଯ୍ୟକାରୀତା ଉପରେ ଗୁରୁତ୍ୱାରୋପ କରାଯିବାକୁ ଦାବି କରାଯାଇଛି । ପାରାଦୀପ ଠାରୁ ହରିଦାସପୁର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ରେଲ୍ପଥରେ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ହେଉ । ଅଭିଜ୍ଞ ବିଧାୟକ ଶଶୀଭୂଷଣ ବେହେରା ଏବଂ ଧ୍ରୁବ ଚରଣ ସାହୁ ମିଳିତ ଭାବେ ବିଚାର ବିମର୍ଷ କରି ଜିଲ୍ଲାର ସାମଗ୍ରିକ ବିକାଶକୁ ଆଗେଇ ନେବାକୁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ ଆବେଦନ କରିଛନ୍ତି ।


