ଦ୍ୱିତୀୟ ପର୍ଯ୍ୟାଳୟରେ ୯୫ଟି ରୁପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ : ଶିକ୍ଷାଦାନ କ୍ଷେତ୍ରରେ ସାମଗ୍ରିକ ବିକାଶ ହେବ : ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ରୁପାନ୍ତରିତ ହୋଇଥିବା ୯୫ଟି ଉଚ୍ଚ ବିଦ୍ୟାଳୟକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏହି ଉପଲକ୍ଷେ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲାପାଳ ଅମ୍ରିତ ଋତୁରାଜ ସ୍ୱାଗତ ଭାଷଣ ଦେଇଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ବିଦ୍ୟାଳୟର ରୁପାନ୍ତରିକରଣ ଦ୍ୱାରା ଶିକ୍ଷାଦାନ କ୍ଷେତ୍ରରେ ସାମଗ୍ରିକ ବିକାଶ ହେବ । ଏଥିସହ ମେଧାବୀ ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ ହେବେ । ଭିଡିଓ କ୍ଲିପିଂ ମାଧ୍ୟମରେ ରୁପାନ୍ତରିତ ହୋଇଥିବା ଜିଲ୍ଲାର ବିଦ୍ୟାଳୟଗୁଡିକର ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଇଛାପୁର ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ଅନୁପ୍ରିତା ସାହୁ ତାଙ୍କ ଭାଷଣରେ କହିଲେ ଆମ ବିଦ୍ୟାଳୟରେ ଇ-ପାଠାଗାର ହୋଇଥିବାରୁ ଆମେ ବିଶ୍ୱର ବିଭିନ୍ନ ସୂଚନା କ୍ଷଣକ ମଧ୍ୟରେ ପାଇ ପାରିବୁ । କୌଣସି ସୂଚନା ପାଇଁ ଆମକୁ ଏଣିକି ଆଉ ଅଧିକ ସମୟ ଲାଗିବ ନାହିଁ । ସେହିପରି ଅତ୍ୟାଧୁନିକ ଲାବୋରେଟୋରୀ ଦ୍ୱାରା ଆମେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ଗବେଷଣା କାର୍ଯ୍ୟ ସହଜରେ କରିହେବ । ସେହିପରି ଉନ୍ନତ ମାନର ଖେଳ ପଡିଆ ଦ୍ୱାରା ଆମ ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବାର ସୁଯୋଗ ପାଇବେ । ବିଦ୍ୟାଳୟ ପରିସରରେ ଉନ୍ନତ ମାନର ଶୌଚ୍ଚାଳୟ ନିର୍ମାଣ ହୋଇଛି । ଏହାଦ୍ୱାରା ଆମ ସ୍ୱାସ୍ଥ୍ୟ ଉତ୍ତମ ହୋଇ ପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରୀ ଅନନ୍ୟାଙ୍କୁ ଭବିଷ୍ୟତର ଲକ୍ଷ ସମ୍ପର୍କର୍ରେ ପଚାରିବାରୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବେ ବୋଲି କହିଥିଲେ । ଏହାସହ ବିଦ୍ୟାଳୟ ରୁପାନ୍ତରିକରଣ କାର୍ଯ୍ୟ ପାଇଁ ଛାତ୍ରୀ ଅନନ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କହିଲେ ବିଦ୍ୟାଳୟ ରୁପାନ୍ତରିକରଣ ଯୋଗୁଁ ପିଲାମାନେ ବେସରକାରୀ ବିଦ୍ୟାଳୟ ଛାଡି ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଠ ହେଉଛନ୍ତି । ସେହିପରି ବିଦ୍ୟାଳୟଗୁଡିକୁ ନିଜସ୍ୱ ଜମି ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବାସ୍ତବରେ ପ୍ରସଂଶନୀୟ ବୋଲି ଶ୍ରୀ ସାହୁ କହିଥିଲେ । କାର୍ଯ୍ୟକ୍ରମ ପାଇଁ ଇଛାପୁର ଉଚ୍ଚ ବିଦ୍ୟାଳୟ କଡ଼ା ସୁରକ୍ଷା ମଧ୍ୟରେ ରହିଥିଲା । ଏସ୍ପି ସନ୍ଦୀପ ସମ୍ପଦ ମଡ଼କର ଫାଟକ ପାଖରେ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ, ଦୁର୍ଗାପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ, ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ଭୀଷ୍ମ ମହାନ୍ତି, ପୌର ସଭ୍ୟ କାଳୀ ପ୍ରସାଦ ମିଶ୍ର, ଦୁର୍ଗାଶିଷ ମହାନ୍ତି, ନଗର ବିଜେଡି ସଭାପତି ଯଯାତି ମହାନ୍ତି, ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, ପୌରସଭ୍ୟ ଉମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୦ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରିତ ହୋଇଥିଲା ।


