ମନ୍ତ୍ରୀ କହିଲେ ‘ଏନ୍କାଉଣ୍ଟର୍’ କରିଦିଅ: ମୃତାବସ୍ଥାରେ ମିଳିଲା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ
ହାଇଦ୍ରାବାଦ: ‘ଏନ୍କାଉଣ୍ଟର୍’ କରାଯିବ ବୋଲି ତେଲେଙ୍ଗାନା ମନ୍ତ୍ରୀ କହିବାର ଦୁଇ ଦିନ ପରେ ହାଇଦ୍ରାବାଦର ଜଣେ ୬ ବର୍ଷୀୟ ବାଳିକା ‘ଦୁଷ୍କର୍ମ ଓ ହତ୍ୟା’ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଶବ ଆଜି ସକାଳେ ରେଳଧାରଣା ଉପରୁ ମିଳିଛି। ଦୌଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିବା କଥା ପୁଲିସ କହୁଛି। ଟୁଇଟର୍ରେ ଅଭିଯୁକ୍ତଙ୍କ ଶବର ଫଟୋ ସେୟାର୍ କରି ତେଲେଙ୍ଗାନା ପୁଲିସ ମୁଖ୍ୟ ଏ ଖବରକୁ ସୁନିଶ୍ଚିତ କରିଛନ୍ତି। ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍କାଉଣ୍ଟର୍’ କରି ହତ୍ୟା କରାଯିବ ବୋଲି ମଙ୍ଗଳବାର ଦିନ ତେଲେଙ୍ଗାନା ଶ୍ରମମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଥିଲେ। ସାମ୍ବାଦିକମାନଙ୍କୁ ସେ କହିଥିଲେ, ୬ ବର୍ଷୀୟ ବାଳିକାକୁ ‘ତ୍ବରିତ ନ୍ୟାୟ’ ଦିଆଯିବ। ଅଭିଯୁକ୍ତକୁ ଆମେ ନିଶ୍ଚୟ ଧରିବୁ ଏବଂ ଏନ୍କାଉଣ୍ଟର୍ କରି ମାରିବୁ। ତାକୁ ଛାଡ଼ିବାର କଥା ହିଁ ଉଠୁନାହିଁ ବୋଲି କୁହାଯାଇଥିଲା ।


