ମରୁଡି ପ୍ରତିକାର ଦାବିରେ ଓଡିଶା କୃଷକ ସଭାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସମଗ୍ର ଜିଲ୍ଲାରେ ଆସନ୍ନ ମରୁଡି ପରିସ୍ଥିତି ଆସୁ ମୁକାବିଲା ଦାବିରେ ଗୁରୁବାର ଦିନ ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ମୈାସୁମୀ ଅତିକ୍ରମ କରିଗଲା ପରେ ଏ ପର୍ଯ୍ୟନ୍ତ ବର୍ଷା ନହେବା ପରିସ୍ଥିତିକୁ ସଙ୍ଗିନ କରିଛି । ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେ ପରେ ମଧ୍ୟ ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରସା କରି ରହିଛି । କେନ୍ଦ୍ରାପଡା ଜିଲ୍ଲା ଦେଇ ଅତିକ୍ରମ କରିଥିବା ମାର୍ଶାଘାଇ -ଜମ୍ବୁ କେନାଲ, କେନ୍ଦ୍ରାପଡା କେନାଲ ଓ ପଟ୍ଟାମୁଣ୍ଡାଇ କେନାଲରେ ଏବେ ପାଣି ନାହିଁ । କେନାଲ ସାରା ଦଳ ଭର୍ତ୍ତି । ତଳ ମୁଣ୍ଡକୁ ଓ ଶାଖା କେନାଲକୁ ପାଣି ମାଡୁନି । ସମସ୍ତ ପାଣି ପଞ୍ଚାୟତ ଓ ଉଠା ଜଳସେଚନ ପ୍ରକଳ୍ପ ଅକାମି । ଅନ୍ୟାନ୍ୟ କେନାଲ ଗୁଡିକରେ ମଧ୍ୟ ସମାନ ଅବସ୍ଥା । ଏ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ଜଳସେଚନ ଓ କୃଷି ବିଭାଗ ଯୁଦ୍ଧ କାଳୀନ ଭିତ୍ତିରେ ଧାନ ପାଇଁ ପାଣି ଯୋଗାଇ ନଦେଲେ ସାରା ଜିଲ୍ଲାରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯିବ । ଏଥିପାଇଁ ଆବଶ୍ୟକ ସ୍ଥଳେ ରିହାତି ଦରରେ ପମ୍ପସେଟ ଯୋଗାଇ ଦେବାକୁ ଏହି ବିକ୍ଷୋଭରେ ଦାବି କରାଯାଇଥିଲା । ସଂଗଠନର ଜିଲ୍ଲା ସଭାପତି ଗୟାଧର ଧଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମ୍ପାଦକ ବିଜୟ ଦାସ, ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ, ପଟ୍ଟାମୁଣ୍ଡାଇ ବ୍ଲକ ସମ୍ପାଦକ ସହଦେବ ଦାସ, କେନ୍ଦ୍ରାପଡା ବ୍ଲକ ଆବାହକ ରମେଶ ପ୍ରଧାନ, ଗୁଣମଣି ବେହେରା, ମହାକାଳପଡା ବ୍ଲକ ନେତା ମାନସ କୁମାର ବେହେରା, ସୁରେନ୍ଦ୍ର ପରିଡା, ରାମଚନ୍ଦ୍ର ପରିଡା, ସୁନାକର ବେହେରା, ପ୍ରଭାକର ସାହୁ, ଅଭୟ ଦାସ, ଦାମ ଦାସ, ଧନେଶ୍ୱର ସାହାଣୀ ଓ ସେବତୀ ସାହାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ନେତୃତ୍ୱ ନେଇଥିଲେ । ତିନି ଦିନ ମଧ୍ୟରେ ଅନ୍ତଃତ କୋଡିଏ ଦିନ ପାଇଁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ନକଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ