ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାକୁ ସମର୍ଥନ କଲେ ପିଜେପିର ୨ ବିଧାୟକ
ମୁମ୍ବାଇ: ମହାରାଷ୍ଟ୍ରରେ ୫୦:୫୦ ଫର୍ମୁଲାରେ ସରକାର ଗଠନ ପାଇଁ ବିଜେପି ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରୁଥିବା ଶିବସେନା ଏହାର ଶକ୍ତି ବଢ଼ାଇବାରେ ଲାଗିଛି । ଶିବସେନାକୁ ଦୁଇ ଜଣ ପ୍ରହାର ଜନଶକ୍ତି ପାର୍ଟି (ପିଜେପି) ବିଧାୟକ ସମର୍ଥନ ଜଣାଇଛନ୍ତି । ଫଳରେ ରାଜ୍ୟରେ ଶିବସେନା ଏବଂ ଏହାକୁ ସମର୍ଥନ ଜଣାଉଥିବା ବିଧାୟକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଶନିବାର ପିଜେପି ବିଧାୟକ ଓମପ୍ରକାଶ ଓରଫ ବଚ୍ଚୁ କାଡ଼ୁ ଏବଂ ରାଜକୁମାର ପଟେଲ ଶିବସେନା ସଭାପତି ଉଦ୍ଧବ ଠାକରେଙ୍କୁ ଭେଟି ସର୍ତ୍ତମୂଳକ ସମର୍ଥନ ଜଣାଇଛନ୍ତି । ପୂର୍ବରୁ ଗତ ଗୁରୁବାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିର୍ବାଚନରେ ବଜୟୀ ହୋଇଥିବା ୨ ବିଦ୍ରୋହୀ ପାର୍ଥୀ ଆଶିଷ ଜୟସ୍ୱାଲ ଏବଂ ନରେନ୍ଦ୍ର ଭଣ୍ଡେରକର ଦଳକୁ ସମର୍ଥନ ଜଣାଇ ସାରିଛନ୍ତି ।


