ମାଛ ବିବିଧା: କିଛି ବିରଳ ଆଉ ଦୁର୍ମୂଲ୍ୟ ମାଛ
ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର । ଯେତେବେଳେ ଜଳଭାଗ କଥା ଉଠେ, ସେତେବେଳେ ବହୁବିଧ ଜଳଜୀବଙ୍କ ଦୃଶ୍ୟ ଆଖି ଆଗରେ ନାଚିଯାଏ । ଯେଉଁମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ମାଛ । ତେବେ ମାଛ ଭିତରେ କିଛି ମାଛ ଅଛନ୍ତି, ଯାହା ଖୁବ୍ ବିରଳ ଆଉ ଦୁର୍ମୂଲ୍ୟ । ଭାରତକୁ ସାଧାରଣତଃ ବିବିଧତାର ଗନ୍ତାଘର ବୋଲି କୁହାଯାଇଥାଏ । ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର । ଯେତେବେଳେ ଜଳଭାଗ କଥା ଉଠେ, ଅର୍ଥାତ୍ ମୁଖ୍ୟତଃ ନଦୀ ସମୁଦ୍ରର କଥା କୁହାଯାଏ ସେତେବେଳେ ବହୁବିଧ ଚମକପ୍ରଦ ଜଳଜୀବଙ୍କ ଦୃଶ୍ୟ ଆଖିରେ ନାଚିଯାଏ । ପୁଣି ଏକଥା ଭୁଲିଯିବା ଉଚିତ ନୁହେଁ ଯେ, ଭାରତୀୟ ମହାଦେଶରେ ମାଛ ହେଉଛି ଏକ ଅତିପ୍ରିୟ ଖାଦ୍ୟ । ପ୍ରାୟ ସତୁରି ପ୍ରତିଶତ ଲୋକ ଏଠାରେ ମାଛକୁ ଏକ ମୁଖ୍ୟ ଆମିଷ ଖାଦ୍ୟ ଭାବରେ ବିବେଚନା କରିଥାନ୍ତି । ଏହାକୁ ଆଖି ଆଗରେ ରଖି ପ୍ରକୃତି ମଧ୍ୟ ଭାରତୀୟ ଜଳଭଣ୍ଡାରକୁ ଭିନ୍ନଭିନ୍ନ ପ୍ରଜାତିର ମତ୍ସ୍ୟ ସମ୍ପଦରେ ଭରିଦେଇଛି । ସେଥିଲାଗି ଏକଥା ଯଥାର୍ଥରେ କୁହାଯାଏ ଯେ, ଭାରତ ହେଉଛି ଭିନ୍ନଭିନ୍ନ ମତ୍ସ୍ୟ ସମ୍ପଦର ଏକ ଗନ୍ତାଘର । ଏଠାରେ ଏକ ବୃହତ୍ ସଂଖ୍ୟକ ଏଣ୍ଡେମିକ୍ ସ୍ପେସିଜ୍ ମିଳନ୍ତି । ଏଣ୍ଡେମିକ୍ ସ୍ପେସିଜ୍ର ଅର୍ଥ ଯାହା ଅନ୍ୟ କେଉଁଠାରେ ଦେଖାଯାଆନ୍ତି ନାହିଁ । ଏହାର କାରଣ ଭାରତର ଭୌଗୋଳିକ ଗଠନ । ତଥ୍ୟ ଅନୁଯାୟୀ ଭାରତୀୟ ଜୈବ ବିବିଧତା ମୁଖ୍ୟତଃ ଦୁଇଗୋଟି ହଟ୍ସ୍ପଟ୍ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଗୋଟିଏ ହେଉଛି ପୂର୍ବ ହିମାଳୟ ପାର୍ବତ୍ୟ ଶ୍ରେଣୀ ଏବଂ ଅନ୍ୟଟି ପଶ୍ଚିମଘାଟ ପର୍ବତମାଳା । ସେଥିପାଇଁ ଭାରତରେ ବହୁ ପ୍ରଜାତିର ବିରଳ ମାଛ ଦେଖିବାକୁ ମିଳିଥାନ୍ତି ।
ରୱାସ୍ : ଏହା ମୁଖ୍ୟତଃ ଭାରତରେ ଦେଖିବାକୁ ମିଳୁଥିବା ଏକ ବିଶେଷ ପ୍ରଜାତିର ମାଛ । ଏହାକୁ ଇଣ୍ଡିଆନ୍ ସଲୋମନ୍ ବୋଲି କୁହାଯାଇଥାଏ । ଆମେରିକା ବ୍ରିଟେନ୍ ଭଳି ରାଷ୍ଟ୍ରରେ ସଲୋମନ୍ ମାଛର ଯେମିତି ଆଦର ଭାରତରେ ରୱାସ୍ର ମଧ୍ୟ ଠିକ୍ ସେମିତି ଆଦର । ଗୁଜୁରାଟ୍, ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଏହି ମାଛ ଅଧିକ ପରିମାଣରେ ଦେଖାଯାଆନ୍ତି । ସାଧାରଣତଃ ଏମାନେ କାଦୁଆ ସ୍ଥାନରେ ନଦୀ କିମ୍ବା ପୋଖରୀର ସମ୍ପୂର୍ଣ୍ଣ ନିମ୍ନ ଭାଗରେ ରହିଥାନ୍ତି । ଏହା ପଲିନେମିଡ୍ ଫ୍ୟାମିଲି ଅନ୍ତର୍ଭୂକ୍ତ ହୋଇଥିବା ବେଳେ ଏହାର ବୈଜ୍ଞାନିକ ନାମ ହେଉଛି “ଇଲୁଥେରୋନିମା ଟେଟ୍ରାଡାକ୍ଟିଲମ୍’ । ଏହାକୁ କେହି କେହି ମତ୍ସ୍ୟ ଗବେଷକ “ବ୍ଲୁ ଥ୍ରେଡ୍ଫିନ୍’ ମଧ୍ୟ କହିଥାନ୍ତି । ଭାରତ ବ୍ୟତୀତ ବାଂଲାଦେଶରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ । ଏହା କିଲୋପ୍ରତି ଦର ୧୦୦୦ଟଙ୍କାରୁ ୧୫୦୦ଟଙ୍କା ମଧ୍ୟରେ ବିକ୍ରିହୋଇଥାଏ ।
ସୁରମୟୀ ବା ସିର ଫିସ: ମୁଖ୍ୟତଃ ଭାରତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖିବାକୁ ମିଳୁଥିବା ଏହି ମାଛର ଏକ ବିଶେଷ ଚାହିଦା ରହିଛି ଭାରତରେ । ଏହାକୁ ମଧ୍ୟ ଗେମ୍ ଫିସ୍ ବୋଲି କୁହାଯାଏ । ଏହାର ପ୍ରାଣୀ ବୈଜ୍ଞାନିକ ନାମ ହେଉଛି ସ୍କମ୍ବରୋମରୋସ୍ ଗୁଟାଟସ୍ । ଏହା ସର୍ବାଧିକ ୪୫କେଜି ପର୍ଯ୍ୟନ୍ତ ବଢ଼ିଥାଏ । ଏହାକୁ କୌଣସି କୌଣସି ସ୍ଥାନରେ ଭିନ୍ନ ନାମରେ ମଧ୍ୟ ଜଣାଯାଇଥାଏୟ ଯଥା- ଅନ୍ଜାଲ, ଇସ୍ବାନ୍ ପ୍ରଭୃତି ।
ମାଛର ନାଁ ତେଲିଆଶିଳା: ” ନାଁଟି ଓଡ଼ିଆ ପାଠକମାନଙ୍କ ପାଇଁ ହୁଏତ ନୂଆ ନୁହେଁ । କାରଣ ଚଳିତବର୍ଷ ଧାମରାର ମତ୍ସ୍ୟଜୀବୀମାନେ ୮ଟି ତେଲିଆଶିଳା ଧରିବା ଖବର ବେଶ୍ ଚର୍ଚ୍ଚାରେ ରହିଥିଲା । ମତ୍ସ୍ୟ ଗବେଷକଙ୍କ ମତରେ ତେଲିଆଶିଳା ଏକ ବିରଳ ପ୍ରଜାତିର ମାଛ । ମାଛ ଗୋଟାର ଦାମ ଦେଢ଼ ଲକ୍ଷ ଟଙ୍କା ଯାହା ସହଜରେ ବିଶ୍ୱାସ କରି ହୁଏନା । ମାତ୍ର ଏହା ସତ । ଯେଉଁ ମତ୍ସ୍ୟଜୀବୀର ଜାଲରେ ଏହି ମାଛ ପଡିଲା ସେ ମାଲାମାଲ ହୋଇଗଲା ଜାଣ । ଇଲିଶ ମାଛଠାରୁ ଏହାର ମୂଲ୍ୟ ମଧ୍ୟ ଅଧିକ । ଏହାର କିଲୋ ପ୍ରତି ୪ରୁ ୫ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଗୋଟିଏ ବଡ ମାଛର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ । ଆମ ରାଜ୍ୟର କେତେକ ସ୍ଥାନରେ ସମୁଦ୍ରରୁ ବଡ ଫାଶ ଜାଲରେ ଏହି ମାଛ ଧରା ହୋଇଥାଆନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏହାର ଡାକନାମ ତେଲିଆ । ଇଂରାଜୀ ନାମ କ୍ରୋକର ବା ସ୍ପଟେଡ କ୍ରୋକର । ଏହାର ବିଜ୍ଞାନ ନାମ ପ୍ରୋଟନବିଅନ ଡାଇକନଥେସିସ୍ । ଧାମରା, କସିଆ, ଦୀଘା ଆଦି ଅଞ୍ଚଳରେ ସମୁଦ୍ରରେ ଧରାଯାଇ ଥାଆନ୍ତି ।
ଧାମରା ମାଛଧରା ବନ୍ଦରରେ ବିଭିନ୍ନ ବର୍ଷରେ ଧରା ହୋଇଥିବା ତେଲିଆ ମାଛର ପରିମାଣ କିଛି କମ୍ ନୁହେଁ । ଗଭୀର ସମୁଦ୍ରକୁ ଗିଲନେଟ୍ ଓ ଟ୍ରଲର ନେଇ ଯାଉଥିବା ମତ୍ସ୍ୟଜୀବୀମାନେ ଏହାକୁ ଧରିଥାଆନ୍ତି । ସ୍ଥାନୀୟ ତଥା ରାଜ୍ୟ ବଜାର ଅପେକ୍ଷା ପଡୋଶୀ ପଶ୍ଚିମବଙ୍ଗ, ହାୱଡ଼ା, ଦୀଘା, ସିଲିଗୁଡି, ଆସାମ ବଜାରକୁ ଏହି ମାଛ ପଠାଇ ମତ୍ସ୍ୟଜୀବୀମାନେ ଲାଭବାନ ହୋଇଥାଆନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓ ତହସିଲ ଅଧୀନସ୍ଥ ଧାମରା ମାଛଧରା ଜେଟିର ବିଭିନ୍ନ ମାଛଧରା ବେସ୍ରେ ଏମାନଙ୍କୁ କେବେ କେବେ ସମୁଦ୍ରରୁ ଧରା ହୋଇଥାଏ । ଚଳିତବର୍ଷ ଏପରି ୧୦ଟି ମାଛ ଧାମରାରେ ଧରା ହୋଇଥିବାବେଳେ ଗୋଟିକର ଓଜନ ୨୫ କିଲୋରୁ ବେଶି ବୋଲି ଜଣାଯାଇଛି । ଏହି ମାଛକୁ ଦେଖିବାକୁ ଚନ୍ଦନିପାଳ ମାଛଧରା ଜେଟି (ବେସ୍)ରେ ଭିଡ଼ ଜମିଥିଲା । ଏହାକୁ ନିଲାମ ଧରି ବାହାର ରାଜ୍ୟ ବଜାରରେ ବିକ୍ରି କରିବାକୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ସମୁଦ୍ରରୁ ମିଳୁଥିବା ମାଛମାନଙ୍କ ମଧ୍ୟରେ ଦାମିକା ମାଛ ତେଲିଆଶୀଳା ବା ତେଲିଆ ମାଛକୁ ତରକାରୀ ଅପେକ୍ଷା ଔଷଧୀୟ, ମଦ୍ୟଶିଳ୍ପ ତଥା ମହିଳା ପ୍ରସାଧନ ଶିଳ୍ପରେ ବ୍ୟବହାର ହୋଇଥାଏ ।
ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଏମାନେ ସାଧାରଣତଃ ଦେଖାଯାଆନ୍ତି । ବଙ୍ଗୋପସାଗରେ ଏମାନଙ୍କର ପରିମାଣ କିଛି କମ୍ ନୁହେଁ । ଏହି ମାଛ ଗଭୀର ସମୁଦ୍ରରେ ରହୁଥିଲେ ମଧ୍ୟ ଅଣ୍ଡା ଦେବାକୁ ମୁହାଣକୁ ଆସି ଥାଆନ୍ତି ଓ ମତ୍ସ୍ୟଜୀବୀଙ୍କ ଜାଲରେ ପଡିିଥାଆନ୍ତି । ଅଧିକ ଦାମ ପାଇଁ ଏହି ମାଛର ହୃତପିଣ୍ଡକୁ ସମୁଦ୍ର ସ୍ୱର୍ଣ୍ଣ କୁହାଯାଏ । ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ହଙ୍ଗକଙ୍ଗ ଓ ଜାପାନରେ ଏହି ମାଛର ଚାହିଦା ଯଥେଷ୍ଟ ରହିଛି । ମାଈମାଛ ଅପେକ୍ଷା ଅଣ୍ଡିରା ମାଛର ଚାହିଦା ଅଧିକ । ଏସିଆ ମହାଦେଶର କେତେକ ଅଞ୍ଚଳରେ ପାରମ୍ପରିକ ଟନିକ ପ୍ରସ୍ତୁତିରେ ଏହାର ତେଲ ଓ ଚର୍ବି ଲାଗିଥାଏ । ଏହି ମାଛକୁ ଖଣ୍ଡଖଣ୍ଡ କରି ଟାଣ ଖରା ବଦଳରେ ନରମ ଖରାରେ ଶୁଖାଇ ଏହା ଚର୍ବି ଅଂଶକୁ ସଂରକ୍ଷିତ କରାଯାଇଥାଏ । ଏଥିରୁ କେତେକ କ୍ୟାପସୁଲର ଉପର କୋଷ ତିଆରି ହେବା କଥା ମଧ୍ୟ ଜଣାଯାଇଛି ।
ଭ୍ରମଣଶୀଳ ମାଛ : ବମ୍ବେଡକ୍ ମାଛଟି ହୁଏତ କାହାରି ପାଇଁ ଅପରିଚିତ ହୋଇ ନପାରେ । ମାତ୍ର ଏକଥା ହୁଏତ ଅନେକେ ଜାଣି ନଥିବେ ଯେ, ଏହା ହେଉଛି ବୁଲାଟିଆ ମାଛ ବା ଭ୍ରମଣଶୀଳ ମାଛ । ଗୋଟିଏ ସ୍ଥାନରେ ଅଟକି ରହିବା ଏମାନଙ୍କ ପକ୍ଷରେ ସହଜରେ ସମ୍ଭବ ହୋଇ ନଥାଏ । ଆରବ ସାଗରରୁ ବଙ୍ଗୋପସାଗର, ପୁଣି ବଙ୍ଗୋପ ସାଗରର ଓଡ଼ିଶା ଉପକୂଳ ଧାମରା । ଏହା ଏକ ଅତି ବିଶାଳ ଗତିପଥ । ପ୍ରାୟ ୧୬ ଇଞ୍ଚ ଲମ୍ବର ଏହି ମାଛ ଏତେ ଦୂର କିପରି ଯାତ୍ରାକରେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ବିଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ଧାମରା ମାଛଧରା ବନ୍ଦରକୁ ଇଲିଶମାନେ ବାଟ ହୁଡ଼ିଥିବା ବେଳେ ଅଧିକ ପରିମାଣର ବମ୍ବେଡକ୍ ଆସିବା ନିଶ୍ଚିତ ଭାବରେ ଏକ ଶୁଭ ସୂଚନା । ମୁଖ୍ୟତଃ ପ୍ରଜନନ ସମୟରେ ଆରବ ସାଗରରୁ ବଙ୍ଗୋପସାଗରକୁ ଆସିଥାଆନ୍ତି । ନଭେମ୍ବରରୁ ଜାନୁଆରି ଶେଷ ପର୍ଯ୍ୟନ୍ତ ସମୁଦ୍ରରୁ ଏହି ମାଛ ଧରାଯାଏ । ଭଦ୍ରକ ଜିଲ୍ଲା ଧାମରାରେ ଏହି ପ୍ରଜାତିର ମାଛ ଦେଖାଯିବାକୁ ନେଇ ବିଭିନ୍ନ କଥା ଶୁଣାଯାଏ । ଯେମିତିକି ସୁନାମୀ ପରେ ବହୁଳ ଭାବେ ଏଠାକୁ ଏମାନଙ୍କର ସୁଅ ଛୁଟିଛି । ସ୍ଥାନୀୟ ଭାଷାରେ ଏହି ମାଛର ଡାକନାମ ନାଉଆ । ଏମାନଙ୍କ ମାଛ ଅପେକ୍ଷା ଶୁଖୁଆର ଯଥେଷ୍ଟ ଚାହିଦା ରହିଛି ଆମ ରାଜ୍ୟ ତଥା ଦେଶ ବାହାରରେ । ଏମାନଙ୍କର ବିଜ୍ଞାନ ନାମ ହାର୍ପଡନ ନେହେରିଅସ । ଏମାନେ ପଶ୍ଚିମ ଗୁଜୁରାଟ, ମୁମ୍ବାଇ, ଆରବ ସାଗରର କଚ୍ଛ, ଭାରତ ମହାସାଗରରୁ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଧରାହୋଇଥାଆନ୍ତି । ଏମାନେ ବଙ୍ଗୋପସାଗରରେ ଅଳ୍ପ ପରିମାଣରେ ଦେଖାଯାଆନ୍ତି । ଏହାର ରଙ୍ଗ ବାଦାମୀ କିମ୍ବା ଧୁସର ହୋଇଥାଏ । ଏମାନଙ୍କ ଶରୀରରେ ଅଧିକ ପରିମାଣର ଜଳ ରହିଥାଏ । ଏହାର ଶରୀର ପତଳା । ଏମାନେ ସର୍ବାଧିକ ୧୬ଇଞ୍ଚ ଲମ୍ବ ପର୍ଯ୍ୟନ୍ତ ବଢ଼ିଥାନ୍ତି । ଏମାନଙ୍କର ପାଟି ବଡ଼, ଦାନ୍ତ ତୀକ୍ଷ୍ଣ ଓ ମୁନିଆ । ବିଭିନ୍ନ ପ୍ରକାର ଶାମୁକା ଓ ଛୋଟମାଛ ଏମାନଙ୍କର ଖାଦ୍ୟ । ଏଥିରେ ଓମେଗା-୩ ପଲି ଅନ୍ସାଚୁରେଟେଡ ଫ୍ୟାଟି ଏସିଡି ଓ ଲିପିଡି ରହିଛି । ପ୍ରତି ୧୦୦ଗ୍ରାମ ବମ୍ବେଡକ୍ ଶୁଖୁଆରେ ୧୯.୧ମିଲିଗ୍ରାମ ଲୌହ ଅଂଶ ରହିଛି । ବମ୍ବେଡକ୍ର ନାମକରଣକୁ ନେଇ ଏକ ରୋଚକ କଥା ଶୁଣିବାକୁ ମିଳିଥାଏ । ଇଂରେଜ ଶାସନ କାଳରେ ଆମ ଦେଶରେ ଏହାର ଶୁଖୁଆ ରେଳରେ ପଠାଯାଉଥିଲା । ଏହା ବମ୍ବେ ମେଲ ବା ଡାକଗାଡିରେ ଏକା କମ୍ପାର୍ଟମେଣ୍ଟରେ ଯାଉଥିବା ହେତୁ ଅନ୍ୟାନ୍ୟ ଦ୍ରବ୍ୟସାମଗ୍ରୀ ଯଥା- ଖବରକାଗଜ ଓ ଡାକ ଚିଠି ମଧ୍ୟ ଦୁର୍ଗନ୍ଧ କରୁଥିଲା । ଇଂରେଜ ଅଧିକାରୀମାନେ ଏହାକୁ ବମ୍ବେଡାକ୍ ବୋଲି କହୁଥିଲେ । ପରେ ଏହା ଅପଭ୍ରଂଶ ହୋଇ ବମ୍ବେଡକ୍ ହୋଇଥିବା ଅନୁମେୟ । ଏହି ମାଛକୁ ନେଇ ରହିଛି ଏକ କ୍ଷୁଦ୍ର ଇତିହାସ । ରବର୍ଟ କ୍ଲାଇବ ତାଙ୍କର ବେଙ୍ଗଲ ଅଧିକାର ସମୟରେ ପ୍ରଥମକରି ଏହାର ସ୍ୱାଦ ଚାଖିଥିଲେ । ପରେ ଏହା ଉପରେ ପ୍ରଥମେ କର ବସାଇଥିଲେ ।
ଶାଙ୍କୁଚ : ଶାଙ୍କୁଚକୁ କେହି କେହି ମାଛ ବୋଲି କହୁଥିବା ବେଳେ ଆଉ କେହି ଏହା ସାମୁଦ୍ରିକ ଜୀବ ବୋଲି କହିଥାନ୍ତି । ଏକ ବୃହତ୍ ଠିକିରି (ତାସକାର୍ଡ଼ର ଚିହ୍ନ) ପଛରେ ଗୋଟିଏ ଲମ୍ବା ଦଉଡ଼ି ଭଳି ଲାଞ୍ଜ । ସେଥିଲାଗି ଏହାକୁ ଅନେକେ ମାଛ ବୋଲି କହି ନଥାନ୍ତି । ତେବେ ମତ୍ସ୍ୟଜୀବୀ ତଥା ମତ୍ସ୍ୟ ଗବେଷକଙ୍କ ଦୃଷ୍ଟିରେ ଏହା ଏକ ପ୍ରଜାତିର ମାଛ । ଏହା ଗଭୀର ସମୁଦ୍ରରେ ରହେ । ଖୁବ୍ କମ୍ ମଧୁର ଜଳକୁ ଆସେ ମୁଖ୍ୟତଃ ଖାଦ୍ୟ ଅନ୍ୱେଷଣରେ । ଏହା ମୁହାଣ ନିକଟବର୍ତ୍ତୀ ହୋଇଥାଏ । ଆଉ ସେହି ସମୟରେ ଧୀବରର ଜାଲରେ ଧରା ପଡ଼ିଥାଏ । ଧାମରା ଅଞ୍ଚଳରେ କେବେକେବେ ବୃହତ ଶାଙ୍କୁଚ ମାଛ ଜାଲରେ ପଡିଥିବାର ନଜିର ରହିଛି । ଏହାକୁ ଧାମରାରୁ ଦୀଘା ଦେଇ ଚୀନକୁ ରପ୍ତାନୀ କରାଯାଏ । ଓଡ଼ିଶାରେ ଶାଙ୍କୁଚ ମାଛକୁ ଖାଦ୍ୟ ଭାବରେ ବ୍ୟବହାର କରାଯାଇଥିବାର ଦୃଷ୍ଟାନ୍ତ ପ୍ରାୟତଃ ନାହିଁ । ତେବେ ଏହାର ଲାଞ୍ଜର ବହୁ ଚାହିଦା ରହିଛି । ତନ୍ତ୍ରଶାସ୍ତ୍ରରେ ଶାଙ୍କୁଚ ଲାଞ୍ଜର ବ୍ୟବହାର କଥା ଉଲ୍ଲେଖ କରାଯାଇଛି । ଲୋକମାନେ ଭୂତପ୍ରେତ ଛଡ଼ାଇବା ଓ କୁଦୃଷ୍ଟିରୁ ରକ୍ଷା ପାଇବାକୁ ବ୍ୟବହାର କରନ୍ତି । ତେବେ ଚୀନ୍ରେ ଏହାର ସୁପ୍ ଓ ପକୋଡାର ବହୁ ଆଦର ରହିଛି । ଭାରତର ଦାକ୍ଷିଣାତ୍ୟରେ କେତେକ ସ୍ଥାନରେ ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରାଯାଇଥାଏ ।
କେରଳରୁ ମିଳିଲା ବିରଳ ମାଛ : କେରଳ ଉପକୂଳରୁ ଭାରତୀୟ ଏବଂ ବ୍ରିଟିଶ୍ ଗବେଷକମାନେ ଏକ ବିରଳ ପ୍ରଜାତିର ମାଛ ଠାବ କରିଥିଲେ । ତାହାକୁ ସେମାନେ ସ୍ନେକହେଡ ଫିସ୍ ପ୍ରଜାତିରେ ତାଲିକାଭୁକ୍ତ କରିବା ସହିତ ଏହାର ନାମ ରଖିଥିଲେ “ଆନିଗ୍ମାକାନା ଗୁଲ୍ଲମ୍’ । ‘ଗୁଲ୍ଲମ’ ଶବ୍ଦଟିକୁ ସେମାନେ “ଦି ଲର୍ଡ଼ ଅଫ୍ ଦି ରିଙ୍ଗ୍ସ’ ଫିଲ୍ମରୁ ଆଣିଥିଲେ । ‘ଗୁଲ୍ଲମ’ ଶବ୍ଦଟି ମୁଖ୍ୟତଃ ରହସ୍ୟଜନକ ଜୀବଙ୍କୁ ପ୍ରତିନିଧିତ୍ୱ କରିଥାଏ । ଗବେଷକଙ୍କ କହିବା ଅନୁଯାୟୀ ଯେଉଁ ପ୍ରଜାତିର ମାଛ ଠାବ କରାଯାଇଛି ତାହା ମଧ୍ୟ କିଛି କମ୍ ରହସ୍ୟମୟ ନୁହେଁ । ଏହା ହେଉଛି ସମ୍ପୂର୍ଣ୍ଣ ଏକ ନୂଆ ପ୍ରଜାତିର ମାଛ । ୨୦୧୮ ମସିହାରେ କେରଳରେ ଭୟଙ୍କର ବନ୍ୟା ହୋଇଥିଲା । ବନ୍ୟା ସମୟରେ ମାଛଟି ଉପରକୁ ଚାଲିଆସି ଏକ ଧାନକ୍ଷେତରେ ଆଶ୍ରୟ ନେଇଥିଲା ।


