ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ: କନ୍ଧମାଳରେ ୮୬.୩୨ ପ୍ରତିଶତ ସଫଳତା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ମାଟ୍ରିକ୍ ପରୀକ୍ଷାରେ କନ୍ଧମାଳ ଜିଲ୍ଲା ୮୬.୩୨ ପ୍ରତିଶତ ସଫଳତା ପାଇବା ସହ ରାଜ୍ୟରେ ୫ମ ସ୍ଥାନ ଅଧିକାର କରିଛି। ତୁମୁଡିବନ୍ଧ ବ୍ଲକ ଜଳେଶପଟା ସରକାରୀ ହାଇସ୍କୁଲର ଛାତ୍ରୀ ମିନାକ୍ଷୀ ଜିଲ୍ଲାର ଟପ୍ପର ହୋଇଛନ୍ତି। ପ୍ରକାଶ ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ୨୦୪ଟି ହାଇସ୍କୁଲର ୯୦୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୭୮୪୭ ଜଣ ପାସ ହୋଇଛନ୍ତି। ଏଥିମଧ୍ୟରେ ଏ-୧ରେ ୫ ଜଣ ପାସ କରିଥିବାବେଳେ ଏ -୨ରେ ୫୧ ଜଣ, ବି-୧ରେ ୧୫୫ ଜଣ, ବି-୨ରେ ୩୬୧ ଜଣ, ସି ଗ୍ରେଡରେ ୮୨୬ ଜଣ, ଡି ଗ୍ରେଡରେ ୧୮୮୬ ଜଣ ଓ ଇ ଗ୍ରେଡରେ ୪୫୬୩ ଜଣ ପାସ କରିଛନ୍ତି। ତୁମୁଡିବନ୍ଧ ବ୍ଲକ ଜଳେଶପଟା ସରକାରୀ ହାଇସ୍କୁଲର ଛାତ୍ରୀ ମିନାକ୍ଷୀ ମଲ୍ଲିକ ୫୫୬ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି। ସେ ୯୨.୬୬ ପ୍ରତିଶତ ନମ୍ବର ରଖିଛନ୍ତି। ବାଲିଗୁଡା ସରକାରୀ ହାଇସ୍କୁଲର ଛାତ୍ରୀ ଅର୍ପିତା ମହାରାଣା ୯୦.୩୩ ପ୍ରତିଶତ ହାରରେ ୫୪୨ ନମ୍ବର ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ କେ ନୂଆଗାଁ ସରକାରୀ ହାଇସ୍କୁଲର ଛାତ୍ର ଆଶୁତୋଷ ଦାସ, ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆୟୁଷ ମହାନ୍ତି ଓ ବ୍ରାଇଟ୍ ଦିଗାଲ ୯୦ ପ୍ରତିଶତ ହାରରେ ୫୪୦ ମାର୍କ ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲାପାଳ ଡା.ବୃନ୍ଦା ଡି, ଜିଲ୍ଲା ଶିକ୍ଷାଧିକାରୀ ବିକାଶ ପ୍ରଧାନ ସନ୍ତୋଷ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ସିଆରସିସି ଓ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।


