ମାତୃ ପିତୃ ପୂଜନ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଯୋଗ ବେଦାନ୍ତ ସେବା ସମିତିର ମହିଳା ଉତଥାନ ମଣ୍ଡଳ ପକ୍ଷରୁ ମାତୃ-ପିତୃ ପୂଜନ ଦିବସ ଭାବରେ ପାଳନ କରାଯାଇ ଆସୁଅଛି । ପ୍ରତି ବର୍ଷ ପରି ସନ୍ଥ ଆଶା ରାମଜୀ ଆଶ୍ରମ ପରିସରରେ ହଜାର ହଜାର ଯୁବପିଢୀ ଓ ବିଦ୍ୟାର୍ଥୀମାନେ ସେମାନଙ୍କ ପିତାମାତାଙ୍କୁ ପୂଜା କରିବା ସହିତ ଆଶିଷ ଲାଭ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିଭାବରେ ବୃନ୍ଦାବନ ରଥ, ସମାଜସେବୀ ସୁନିଲ ଅଗ୍ରୱାଲା, କେଦାର ସେନାପତି ସମେତ ବହୁ ସାଧୁସନ୍ଥ ଯୋଗ ଦେଇଥିଲେ । ସ୍କୁଲ, କଲେଜରେ ପଢୁଥିବା ଛାତ୍ରଛାତ୍ରୀ ଓ ଯୁବପିଢୀମାନେ ପିତାମାତାଙ୍କ ଭକ୍ତି କରିବା ସହିତ ସେମାନଙ୍କ ଆଦର୍ଶକୁ ଅନୁସାରଣ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ପିତା ମାତା ଠାରୁ କେହି ଦୁନିଆରେ ବଡ ନାହିଁ ବୋଲି ସାଧୁ ସନ୍ଥମାନେ ମତବ୍ୟକ୍ତ କରିଥିଲେ । ଭାବଭକ୍ତି ଭରା ଆଧ୍ୟାତ୍ମିକ ପରିବେଶରେ ସନ୍ତାନମାନେ ପିତାମାତାଙ୍କୁ ଫୁଲ, ଦୀପ, ଧୂପ, ଚନ୍ଦନ, ତିଳକ ଦେଇ ପୂଜନ କରି ଭାରତୀୟ ପ୍ରାଚୀନ ସଂସ୍କୃତିକୁ ଉଦ୍ଜୀବିତ କରିଥିଲେ । ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ମାତୃ-ପିତୃ ପୂଜନ ଦିବସ ପ୍ରତିବର୍ଷ ପାଳନ କରାଯାଇଥିବାରୁ ଅଞ୍ଚଳର ବହୁ ଜନ ସାଧାରଣ ଯୋଗ ଦେଇଥିଲେ ।


