ମେଡିକାଲ ଆନ୍ଦୋଳନକୁ ୪୩ଦିନ ପୁରିଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଶୁକ୍ରବାର ୪୩ ଦିନ ପୁରିଲା । ସରକାରୀ ଘୋଷଣା ଯେତେ ଗଡିଗଡି ଚାଲିଛି, ସହରବାସୀଙ୍କ କ୍ଷୋଭ ସେତେ ବଢି ବଢି ଚାଲିଛି । ସରକାରୀ ଉଦାସୀନତା ଓ କାଳକ୍ଷେପଣ ନୀତି କେନ୍ଦ୍ରାପଡାବାସୀଙ୍କ ପ୍ରତି ବିଶ୍ୱାସଘାତକତା ସହ ସମାନ ବୋଲି ଜିଲ୍ଲା ଜନସମ୍ପର୍କ ମଞ୍ଚର ସମ୍ପାଦକ ନରୋତ୍ତମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ ବକ୍ତାମାନେ ଅଭିଯୋଗ କରିଛନ୍ତି । ଆଜିର ପ୍ରତିବାଦ ସଭାରେ କ୍ରିୟାନୁଷ୍ଠାନ କମିଟି ସଭାପତି ସୟଦ ଅକମଲ ଅଲ୍ଲୀ, ସମ୍ପାଦକ ସୌମେନ୍ଦ୍ର ପୃଷ୍ଟି, ପରାମର୍ଶଦାତା ଗୟାଧର ଧଳ, ହିବଜୁର ରହେମାନ, ପ୍ରଫୁଲ୍ଲ ଦାସ, ରମଣୀରଞ୍ଜନ ରାଉତରାୟ, ହେମନ୍ତକୁମାର ଜେନା, ଉପସଭାପତି ପଦ୍ମଲୋଚନ ମହାପାତ୍ର, ସଭ୍ୟ ଅବଦୁଲ ମାଜିଦ, ଏମ ଦି ଜାକିର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବା ସହ ନେତୃତ୍ୱ ନେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତାକାଲି ଏହି ଆନ୍ଦୋଳନକୁ ସମର୍ଥନ କରି ବାମପନ୍ଥୀ ରାଜ୍ୟ ନେତାମାନେ ଯଥା ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ସିପିଆଇ(ଏମ) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ, ଓଡିଶା କୃଷକ ସଭାର ସଭାପତି ଜମେଶ୍ୱର ସାମନ୍ତରାୟ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂଦେଓ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଆନ୍ଦୋଳନକାରୀ ମାନେ କଳାବ୍ୟାଚ ପରିଧାନ କରିବେ ବୋଲି ସୂଚନା ମିଳିଛି ।


