ମୋଟର ଦୁର୍ଘଟଣାରେ ଆହତଙ୍କ ପାଇଁ କ୍ୟାଶଲେସ୍ ଚିକିତ୍ସା ସୁବିଧା
ନୂଆଦିଲ୍ଲୀ : ମୋଟର ଯାନ ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କୁ କ୍ୟାଶଲେସ ଚିକିତ୍ସିା ବ୍ୟବସ୍ଥା ଯୋଗାଇ ଦେବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ୨୦୧୯ମୋଟର ଯାନ ଆଇନରେ ଏଭଳି ଯୋଜନା ପ୍ରଣୟନ କରିବାକୁ ଉଲ୍ଲେଖ ଥିଲା । ଦୁର୍ଘଟଣାର ପ୍ରଥମ କେତେ ଘଣ୍ଟା ଗୁରୁତର ଆହତଙ୍କ ପାଇଁ ଚିକିତ୍ସା ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସୁବର୍ଣ୍ଣ ମୁହୂର୍ତ୍ତ ବା ଗୋଲ୍ଡେନ ଆୱାର କୁହାଯାଏ । ଏହି ସମୟରେ ଗୁରୁତର ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେଲେ ସେମାନେ ମୃତ୍ୟୁମୁଖରୁ ବଞ୍ଚିବା ସମ୍ଭାବନା ଅଧିକ ଥାଏ । ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ସଚିବମାନଙ୍କୁ ଅବଗତ କରାଯାଇ ଚଳିତମାସ ୧୦ ତାରିଖ ସୁଦ୍ଧା ମତାମତ ଦେବାକୁ କୁହାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏଥିପାଇଁ ଦେଶରେ ଏକ ମୋଟରଯାନ ଦୁର୍ଘଟଣା ପାଣ୍ଠି ଗଠନ କରାଯିବ । ଏବେ ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏନ୍ଏଚ୍ଏ ନୋଡାଲ ଏଜେନ୍ସିଭାବେ କାର୍ଯ୍ୟ କରୁଛି । ଏହି ଯୋଜନାରେ ଦେଶର ୨୧ ହଜାରରୁ ଅଧିକ ହସ୍ପପିଟାଲ ସାମିଲ ହୋଇଛି । ଏହି ପ୍ରାଧିକରଣ ମୋଟର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ କ୍ୟାଶଲେସ୍ ଚିକିତ୍ସା ଯୋଜନାକୁ କାର୍ଯ୍ୟକାରୀ କରିବ । ପ୍ରସ୍ତାବିତ ଯୋଜନାରେ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବୀମା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ରହିଛି । ଏ ବାବଦରେ ଯେଉଁ ଅର୍ଥ ଆଦାୟ ହେବ ତାହା ସଡକ ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବ । ଆହୁରି ମଧ୍ୟ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ଏବଂ ଆହତମାନଙ୍କୁ ମଧ୍ୟ ଏହି ପାଣ୍ଠିରୁ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଦୁର୍ଘଟଣା ଘଟିବା ମାତ୍ରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯେପରି ମିଳିବ ତାହା ନିଶ୍ଚିତ କରିବା ପାଇଁ ପ୍ରସ୍ତାବିତ ଯୋଜନାରେ ବ୍ୟବସ୍ଥା କରାଯାଇଛି । ଏଥିରେ ଆହତମାନଙ୍କ ଆର୍ଥିକ ସ୍ଥିତି ଆଦିକୁ ବିଚାରକୁ ନିଆଯିବ ନାହିଁ । ବିନା ଅର୍ଥରେ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ।


