ମୟୂରଭଞ୍ଜରେ ରାଜନୈତିକ ହଟଚମଟ ୨୨ ବିଜେପି ଜିଲ୍ଲା ପରିଷଦ ସଭ୍ୟ ବିଜେଡି କବ୍ଜାରେ !
ବାରିପଦା : ବର୍ତ୍ତମାନ କୌଣସି ନିର୍ବାଚନ ନାହିଁ । ମାତ୍ର କ୍ଷମତା ପରିବର୍ତ୍ତନକୁ ନେଇ ମୟୂରଭଞ୍ଜରେ ଦେଖାଦେଇଛି ରାଜନୈତିକ ହଟଚମଟ । ମୟୂରଭଞ୍ଜରେ ଘଟିପାରେ ମହାରାଷ୍ଟ୍ର ଭଳି ଘଟଣା । ଜିଲ୍ଲାରେ ଗତ ସାଧାରଣ ନିର୍ବାଚନରେ ୬ ବିଧାୟକ ଏବଂ ସାଂସଦ ପଦ ହାତେଇଥିବା ବିଜେପିକୁ ଲାଗିପାରେ ରାଜନୈତିକ ଝଟ୍କା । ଖୁବ୍ଶୀଘ୍ର ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ । ଏନେଇ ପ୍ରାୟତଃ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଗତ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରି ଜିଲ୍ଲାପରିଷଦ ସଭାପତି ପଦ ହାତେଇଥିଲା ବିଜେପି । ମାତ୍ର ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଏହି ଆସନକୁ ନିଜ ଦଖଲକୁ ନେବାକୁ ବିଜେଡିର ଶୀର୍ଷସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏପରିକି ବିଜେପିର ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଜିଲ୍ଲା ବାହାରେ ରଖାଯାଇ ମନ୍ତ୍ରଣା ଜାରି ରହିଥିବା ଚର୍ଚ୍ଚା ହେଉଛି ।
୫୬ ଆସନ ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ୪୮ ଆସନରେ ବିଜେପି, ୬ ଆସନରେ ବିଜେଡି ଏବଂ ଗୋଟିଏ ଲେଖାଏଁ ଆସନ ଜେଏମ୍ଏମ୍ ଏବଂ ସ୍ୱାଧୀନ ସଭ୍ୟ ଜିତିଛନ୍ତି । ମାତ୍ର ବିଜେଡି ଯଦି ବିଜେପିର ୨୨ରୁ ଊର୍ଦ୍ଧ୍ୱ ଜିଲ୍ଲାପରିଷଦ ସଭ୍ୟଙ୍କୁ ନିଜ ପଟକୁ ନେବାରେ ସକ୍ଷମ ହୁଏ ତେବେ ସଭାପତି ପଦ ବିଜେପି ହାତରୁ ଚାଲିଯିବ । ତେଣୁ ବିଜେଡି ପକ୍ଷରୁ ଅତ୍ୟନ୍ତ ଗୋପନରେ ଏହି ଅପରେସନକୁ କାର୍ଯ୍ୟକାରୀ କରାଯାଉଥିବା ଜଣାପଡ଼ିଛି । ମୟୂରଭଞ୍ଜ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ପରେ ବିଜେଡି ପାୱାର କରିଡରର ଅତ୍ୟନ୍ତ ଘନିଷ୍ଠ ତଥା ଦଳର ନୂତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଏହି ରାଜନୈତିକ ଗୋଟି ଚାଳନା କରୁଥିବା ଶୁଣିବାକୁ ମଳୁଛି । ଏହି ଅପରେସନରେ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ମୋରଡ଼ା ବିଧାୟକ ରାଜ କିଶୋର ଦାସ ସହଯୋଗ କରୁଥିବା ଜଣାପଡ଼ିଛି । ଏ ନେଇ ଜିଲ୍ଲା ବିଜେଡି ନେତାଙ୍କୁ ବିଶେଷ କିଛି ଜଣାନଥିଲେ ମଧ୍ୟ ଜିଲ୍ଲାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଯୋଜନା ଯଦି ସଫଳ ହୁଏ ତେବେ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ଯୋଜନା ହୋଇଥିବା ଜଣାପଡ଼ିଛି ।
ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ଜିଲ୍ଲାସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ବିଜେଡି ଜିଲ୍ଲାରେ ବାରମ୍ବାର ପରାସ୍ତ ହେବା ପରେ ମଧ୍ୟ ଯେପରି ଢଙ୍ଗରେ କ୍ଷମତା ହାସଲ କରିବାକୁ ଲାଳାୟିତ ହେଉଛି, ତାହା ଦୁର୍ଭାଗ୍ୟଜନକ । ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଟଙ୍କାର ଲୋଭ ଦେଖାଇ ନିଜ ପକ୍ଷକୁ ନେବାକୁ ଶାସକ ଦଳର ଚେଷ୍ଟା କରି ଗଣତାନ୍ତ୍ରିକ ବ୍ୟବସ୍ଥାର କଣ୍ଠରୋଧ କରୁଛି । ବିଜେପି ସପକ୍ଷରେ ଜନମତ ଥିବା ବେଳେ ଏହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ପ୍ରାୟ ୩ କୋଟି ଟଙ୍କା ବ୍ୟୟ କରି ଏହି ଅପଚେଷ୍ଟା କରାଯାଉଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ପୂର୍ବରୁ ଥରେ ମଧ୍ୟ ବିଜେଡି ପକ୍ଷରୁ ଏହିପରି ପ୍ରୟାସ କରାଯାଇଥିଲା । ମାତ୍ର ତାହା ସଫଳ ହୋଇନଥିଲା । ଏ ଥର ମଧ୍ୟ ଏହି ଅପଚେଷ୍ଟା ସଫଳ ହେବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।


