ଯଶୋଟିକିରି ଠାରେ ଗଳି ପୋଲ ପାଇଁ ସାଂସଦଙ୍କୁ ଦାବିପତ୍ର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇଯାଇଥିବା ୧୬ନଂ ଜାତୀୟ ରାଜପଥରେ ଏବେ ୬ଲାଇନ ବିଶିଷ୍ଟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ଅନେକ ସ୍ଥାନରେ ଗଳିପୋଲ ପାଇଁ ଦାବି ହେଉଛି । ତନ୍ମଧ୍ୟରୁ ଆଖୁଆପଦା ନିକଟ ଯଶୋଟିକିରି ହାଇସ୍କୁଲ ପ୍ରାଙ୍ଗଣରେ ଏକ ଗଳିପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇ ଆସୁଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ ଗ୍ରାମବାସୀଙ୍କ ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିଛନ୍ତି । ଇତିମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ନିର୍ମାଣକାରୀ ସଂସ୍ଥା କ୍ଷେତ୍ର ପରିଦର୍ଶନ କରିଥିବାବେଳେ ଗଳିପୋଲ ନିର୍ମାଣ ପାଇଁ ଆଜି ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ସମାନ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ସାଂସଦ ଶ୍ରୀମତୀ ମଣ୍ଡଳ, ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଯଶୋଟିକିରି ଠାରେ ପହଞ୍ଚିବା ପରେ ଗଳାପୋଲ ସ୍ଥାନ ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ କରି ସାଂସଦ ଶ୍ରୀମତୀ ମଣ୍ଡଳ ଦାବି ଯୁକ୍ତିଯୁକ୍ତ ଥିବା ଅନୁଭବ କରିବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଗଳାପୋଲ ନିର୍ମାଣ ପାଇଁ ଫୋନରେ ବାର୍ତ୍ତାଳପ କରିଥିଲେ । ଏତଦବ୍ୟତୀତ ସରପଞ୍ଚ ଶ୍ରୀ ରାଉତଙ୍କ ସମେତ ଗ୍ରାମବାସୀ ବନମାଳୀ ପୃଷ୍ଟି, ସୁଶିଲ ବର୍ଦ୍ଧନ, ସମାଜସେବୀ ବିରଞ୍ଚି ନାରାୟଣ ରାଉତ, କିଶୋର ଦଳେଇ, ଅର୍ଜୁନ ବରାଳ, ରଣଜିତ ସିଂ ମହାପାତ୍ର, ସୁମିତ୍ରା ପଣ୍ଡା, ଜ୍ୟୋସ୍ନାରାଣୀ ଦାସ, କୃପାସିନ୍ଧୁ ପୃଷ୍ଟି, ପବନ ମଳିକ ପ୍ରମୁଖ ଗଳାପୋଲ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅଞ୍ଚଳର ବହୁ ପୁରୁଷ ମହିଳା ଏଥିରେ ଉପସ୍ଥିତ ଥିଲେ ।


