ହାଇଲେବୁଲ ୩ନଂ ମୁଖ୍ୟ କେନାଲ ରାସ୍ତା ଶୋଚନୀୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୩ନଂ ହାଇଲେବୁଲ କେନାଲ ରାସ୍ତା ଏବେ ଶୋଚନୀୟ ହୋଇପଡିଛି । ବୈତରଣୀ ନଦୀ ସ୍ଥିତ ଆଖୁଆପଦା ଆନିକଟ ନିକଟରୁ ହାଇଲେବୁଲ କେନାଲ ବାହାରିଥିବାବେଳେ ଭଦ୍ରକ ସ୍ଥିତ ଡଗମୁଣ୍ଡ ଠାରେ ଏହା ଶେଷ ହୋଇଛି । ଦୀର୍ଘ ୧୭କି.ମି. ବ୍ୟାପୀ ଉକ୍ତ କେନାଲର ଡାହାଣ ପାଶ୍ୱର୍ ବନ୍ଧ ଯାତାୟତ ପାଇଁ ଉଦ୍ଦିଷ୍ଟ । ଏହା ଉପରେ ଆଖୁଆପଦା ଠାରୁ ଆରମ୍ଭ କରି ରଣଜିତ, ବାଲିପୋଖରୀ, ନପଙ୍ଗ, ସରପଦା, ବୟାଁବନାପୁର, ଚନ୍ଦ୍ରଭାନୁପୁର, ବଣସାହି, ବାହାଦଲପୁର, ନଗୁଁଆ ପ୍ରମୁଖ ଗ୍ରାମର ହଜାର ହଜାର ଜନସାଧାରଣ ଦୈନନ୍ଦିନ ଯାତାୟତ କରିଥାଆନ୍ତି । ଏହା ସହିତ ବନ୍ତ ବ୍ଲକର ବେତଡା ଓ ଭଦ୍ରକ ବ୍ଲକର ଅମରଗଡିଆ ସମେତ ପ୍ରାୟ ୨୦ରୁ୩୦ଖଣ୍ଡି ଗାଁ ଲୋକ ଦୈନନ୍ଦିନ ଯାତାୟତ କରନ୍ତି । ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଗତ ୨୦୧୫-୧୬ ମସିହାରେ ଏହାର ସ୍ଥାୟୀ ମରାମତି ପାଇଁ ପ୍ରାୟ ୧୧କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଏହାପରେ ଯାଜପୁର ଜଳସମ୍ପଦ ବିଭାଗ ଜରିଆରେ ଟେଣ୍ଡର ଆହ୍ୱାନ କରାଯାଇ ୧୭କି.ମି. ବନ୍ଧର ପିଚ କାମ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଆଖୁଆପଦା ଜଳସମ୍ପଦ ଉପ କାର୍ଯ୍ୟାଳୟ ସହିତ ଭଣ୍ଡାରିପୋଖରୀ, ବାରିକପୁର, ଭଦ୍ରକ ଜଳସମ୍ପଦ ବିଭାଗ ଶାଖା କାର୍ଯ୍ୟାଳୟର ଯନ୍ତ୍ରୀମାନେ କାର୍ଯ୍ୟ ତଦାରଖ ଦାୟିତ୍ୱ ନେଇଥିଲେ ସୁଦ୍ଧା କାମ ସରିବା ପୂର୍ବରୁ ଅନେକ ସ୍ଥାନରୁ ପିଚ ଉଠିବା ଆରମ୍ଭ ହୋଇଥିଲା । ବନ୍ଧ ଉପରେ କୌଣସି ଭାରିଯାନ ଚଳାଚଳ କରୁନଥିବାବେଳେ ପିଚ ଉଠିବା ସହ ମେଣ୍ଟାଲ ମୋରମ ଏଣେତେଣେ ବିଛାଡି ହୋଇ ପଡିବା ନିମ୍ନମାନର କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେ ଯାହାବି ହେଉ ଏବେ କେନାଲ ଶେଷ ଅଞ୍ଚଳ ଅମରଗଡିଆ ଠାରୁ ବେତଡା ରୋବୋ ନଦୀ ଯାଏଁ ଅନେକ ସ୍ଥାନରୁ ସମ୍ପୂର୍ଣ୍ଣ ପିଚ ଉଠିଯାଇଥିବାବେଳେ କେବଳ ରାସ୍ତା ଉପରେ ବଜୁରୀଗୁଣ୍ଡ ପଡିରହିଛି । ଯେଉଁଥିପାଇଁ ସାଇକେଲ ଓ ମୋଟରସାଇକେଲ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହା ସହିତ ନଗୁଆଁ, ବୟାଁ, ବଣସାହି, ହାଟଡିହୀ ପ୍ରମୁଖ ସ୍ଥାନରେ ମଧ୍ୟ ସମ୍ପୂର୍ଣ୍ଣ ପିଚ ସହିତ ବଜୁରୀଗୁଣ୍ଡ ଉଠିଯାଇ ରାସ୍ତାରୁ ଏବେ ମେଣ୍ଟାଲ ମୋରମ ବାହାରିବା ଆରମ୍ଭ କଲାଣି । ଗତବର୍ଷ ରକ୍ଷଣାବେକ୍ଷଣ ବାବଦରେ କିଛି ଅର୍ଥ ବ୍ୟୟ ହୋଇତଥିଲେ ସୁଦ୍ଧା ତାହା ମଧ୍ୟ ପୂର୍ବଭଳି ହୋଇଥିଲା । ଉକ୍ତ କେନାଲ ବନ୍ଧ ଉପରେ ଦୈନନ୍ଦିନ ହଜାରହଜାର ଜନସାଧାରଣ ଯାତାୟତ କରୁଥିବାବେଳେ ୧୦୮, ଦମକଳ ଓ ଅନ୍ୟାନ୍ୟ ସରକାରୀ ଗାଡି ମଧ୍ୟ ଯାତାୟତ କରିଥାଏ । ଏବେ ସ୍କୁଲ କଲେଜ ଖୋଲିବା ସମୟ ଥିବାବେଳେ ଦୈନନ୍ଦିନ ଶହଶହ ଛାତ୍ରଛାତ୍ରୀ ମଧ୍ୟ ସାଇକେଲରେ ଯାତାୟତ କରିବା ନିଶ୍ଚିତ ହୋଇଯାଇଛି । ଏଣୁ ଜଳସମ୍ପଦ ବିଭାଗ ଏହା ଉପରେ ଦୃଷ୍ଟିଦେଇ କେନାଲ ବନ୍ଧ ରାସ୍ତାର ପୁନଃ ନିର୍ମାଣ କରିବାକୁ ଦାବି ହୋଇଛି ।


