ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଡାଲା ଅଟୋ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ଚମାଖଣ୍ଡି ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ରବିବାର ଏକ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋକୁ ପଛପଟୁ ଅଶୋକ ଲେୟଲାଣ୍ଡ ର ମିନି ଡାଲା ଅଟୋ ଧକ୍କା ଦେବା ଫଳରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୪ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାସହିତ ଯାତ୍ରୀ ବାହୀ ଅଟୋର ଚାଳକ ସାମାନ୍ୟ ଆହାତ ହୋଇଛନ୍ତି । ସୂଚନା ଯୋଗ୍ୟ ଯୋ ପ୍ରୟାଗୀ ଅଂଚଳରୁ ଜଣେ ଗର୍ଭବତୀ ମହିଳାଙ୍କ ସହ ତାଙ୍କ ସ୍ୱାମୀ, ଭଉଣୀ ଓ ଆଶା ଦିଦିଙ୍କୁ ଅଲଟ୍ରାସାଉଣ୍ଡ କରିବା ନିମନ୍ତେ ଏକ ଯାତ୍ରୀବାହୀ ଅଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଚମାଖଣ୍ଡି ଗ୍ରାମ ନିକଟସ୍ଥ ଜାତୀୟ ରାଜପଥରେ ମିନି ଡାଲା ଅଟୋଟି ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋଟି ଭାରସାମ୍ୟ ହରାଇ ପାଲଟି ମାରିଥିଲା । ଅଟୋରେ ବସିଥିବା ସମସ୍ତ ଯାତ୍ରୀ ମାନେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଏସପିଓ ସନ୍ତୋଷ କୁମାର ପାଢୀ ଓ ଚମାଖଣ୍ଡି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଥାନା ପକ୍ଷରୁ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚଳାଇଛନ୍ତି ।


