ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ବୁଲୁଛି : ପୋଲିସ କହୁଛି ଚଢାଉ ବେଳେ ଅଭିଯୁକ୍ତ ଫେରାର ହୋଇଛି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜଣେ ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ଜଣଙ୍କ ବୁଲୁଛି । କିନ୍ତୁ ପୋଲିସ କହୁଛି ଆମେ ଅଭିଯୁକ୍ତକୁ ପାଉନୁ । ତେଣୁ ହଣା ଖାଇଥିବା ଯୁବକଙ୍କ ପରିବାର ଲୋକେ ଏସ୍ପିଙ୍କୁ ଭେଟି ଏନେଇ ଅଭିଯାଗ କରିଛନ୍ତି । ହଣା ଖାଇଥିବା ଯୁବକ ଜଣକ ହେଉଛନ୍ତି ଟାଉନ୍ ଥାନା ଅନ୍ତର୍ଗତ ଜୟୀପୁରାର ଶୁଭ୍ରାଂଶୁ ନାୟକ । ଭୁଜାଲି ଚୋଟରେ ଶୁଭ୍ରାଂଶୁଙ୍କ ବାମ ହାତ ହାଡ କଟି ଯାଇଛି । ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହେଲେ ଶୁଭ୍ରାଂଶୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ନାଲୁକୁ ପୁଲିସ ଗିରଫ କରୁନାହିଁ ବୋଲି ଶୁଭ୍ରାଂଶୁଙ୍କ ପତ୍ନୀ ଶୁଭଶ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୨୦ ତାରିଖ ରାତି ପ୍ରାୟ ୮ଟା ସମୟରେ ଶୁଭ୍ରାଂଶୁ ମେଡିକାଲ ଛକର ମହାଭୋଇ ପୋଖରୀ ନିକଟସ୍ଥ କନକ ଔଷଧ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ନାଲୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ଏହାଦ୍ୱାରା ସେ ଗୁରୁତର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ଏବେବି ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏକ୍ସରେ ହେବା ପରେ ତାଙ୍କ ବାମ ହାତ ହାଡ କଟି ଯାଇଥିବା ଜଣାପଡିଥିଲା । ଏ ନେଇ ପରିବାର ଲୋକେ ପୋଲିସ କୁ ଜଣାଇଲେ ମଧ୍ୟ ପୋଲିସ ଅଭିଯୁକ୍ତ ନାଲୁକୁ ଗିରଫ କରୁନାହିଁ ବୋଲି ପରିବାର ପକ୍ଷରୁ ଏସ୍ପିଙ୍କୁ ଅଭିଯୋଗ କରାଯାଇଛିି । ସେହିପରି ପରିବାର ଲୋକେ କହିଛନ୍ତି ଗତ ୨୦୨୦ ମସିହା ଅକ୍ଟୋବର ମାସରେ ନାଲୁ ଏହିପରି ଭାବେ ଆକ୍ରମଣ କରିଥିଲା । ହେଲେ ପୋଲିସ ଏହାର ରଫାଦଫା କରି ଦେଇଥିଲା । ଯାହା ଫଳରେ ନାଲୁର ଅଧିକ ସାହାସ ବଢିଲା ପୁନର୍ବାର ଆକ୍ରମଣ କରିବା ପାଇଁ । ପୋଲିସ ସେତେବେଳେ କଠୋର ହୋଇଥିଲେ ଓ ନାଲୁକୁ ଗିରଫ କରି ଜେଲକୁ ପଠାଇଥିଲେ ସେ ପୁନର୍ବାର ଆକ୍ରମଣ କରିବାକୁ ସାହାସ କରି ନ ଥାନ୍ତା । ଘଟଣା ସମ୍ପର୍କରେ ଥାନାଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଲେ ଯେ ଅଭିଯୁକ୍ତକୁ ଧରିବା ପାଇଁ ଆମେ ଚଢାଉ ଜାରି ରଖିଛୁ । କିନ୍ତୁ ଅଭିଯୁକ୍ତ ଫେରାର ହୋଇ ଯାଉଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଥାନାଧିକାରୀ କହିଛନ୍ତି ।


