ରାଖୀରେ ସବୁଜ ସଂକଳ୍ପର ବାର୍ତ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଖୀରେ ସବୁଜ ସଂକଳ୍ପର ବାର୍ତ୍ତା । ସଂପ୍ରତି ବିଶ୍ୱତାପନ ଓ ଜଳବାୟୁର ଜ୍ୱାଳାକୁ କିପରି ରୋକାଯାଇ ପାରିବ ଏହାକୁ ନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁ ପ୍ରସ୍ତୁତ କରିଛନ୍ତି ପରିବେଶ ଅନୁକୂଳ ରାଖୀ । ନିଜର ଦୃଢ ଇଛାଶକ୍ତି ଏବଂ ପରିଶ୍ରମ ବଳରେ ନୂଆ ସମ୍ଭାବନା ସେ ସୃଷ୍ଟି କରିଛନ୍ତି । ପୂର୍ବରୁ ତିଆରି ହେଉଥିବା ରାଖୀ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀ ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିଲା । ମାତ୍ର ସୁଶାନ୍ତ ନିଜର ଅଧ୍ୟବସାୟ ବଳରେ ଆଜକୁ ୫ ବର୍ଷ ହେଲା ପରିବେଶ ଅନୁକୂଳ ରାଖୀ ତଥା ସ୍ୱଦେଶୀ ରାଖୀ ପ୍ରସ୍ତୁତ କରି ସାରା ବିଶ୍ୱକୁ ଦେଇ ଚାଲିଛନ୍ତି ଜନସଚେତନତାର ବଳିଷ୍ଠ ବାର୍ତ୍ତା । ଗଛ ପ୍ରତି କିପରି ଲୋକମାନଙ୍କର ଭଲ ପାଇବା ବୃଦ୍ଧି ହୋଇପାରିବ ଏ ନେଇ ଚଳିତ ବର୍ଷ ପ୍ରସ୍ତୁତ କରିଛନ୍ତି ଗଛ ରାଖୀ । ପାନମଧୁରୀ, କଳାଜିରା, ମାଣ୍ଡିଆ, ଗୋଲମରିଚ, ଜୁଆଁଣି, କବାବଚିନି, ମେଥି ଇତ୍ୟାଦିକୁ ବ୍ୟବହାର କରି ଗଛ ରାଖୀ ପ୍ରସ୍ତୁତ ହୋଇଥିବା ବେଳେ ଧଳାଧାନ, କଳାଧନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ ମଞ୍ଚି ଆଦି ବିଭିନ୍ନ କିସମର ବିହନ ସହ ତୁଳା, କାଠି, କାଗଜ, ନଡା ଆଦିକୁ ବ୍ୟବହାର କରି ଏହି ସ୍ୱଦେଶୀ ରାଖୀ ପ୍ରସ୍ତୁତ କରାଯାଇଛି । ରାଖୀ ଗୁଡ଼ିକ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି । ରାଖୀ ଗୁଡ଼ିକର ମୂଲ୍ୟ ୫ ଟଙ୍କାରୁ ୫୦ଟଙ୍କା ମଧ୍ୟରେ ରହିଛି । ଲାଭ ପାଇଁ ନୁହେଁ, ବରଂ ସ୍ୱଦେଶୀ ଓ ପରିବେଶକୁ ସୁହାଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏହା ଏକ ନୀରବ ଆନ୍ଦୋଳନ । ରାଖୀ ମାଟି ସହ ମଣିଷର ସବୁଜିମା ସମ୍ପର୍କ ଯୋଡ଼ିବାର ଏହା ଏକ ପ୍ରୟାସ ବୋଲି ସୁଶାନ୍ତ କହିଛନ୍ତି । ସୁଶାନ୍ତଙ୍କ ସହ ତାଙ୍କ ଧର୍ମପତ୍ନୀ ଅନସୂୟା, ପୁତ୍ର ଶାନ୍ତନୁ ପ୍ରମୁଖ ରାଖୀ ପ୍ରସ୍ତୁତିରେ ସହଯୋଗ କରୁଥିବାର ଜଣାପଡ଼ିଛି ।


