ସୁପ୍ରିମକୋର୍ଟ ରାୟ ଏସ୍‌ସି-ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥା ଅକାମୀ କରିଦେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ଅଗଷ୍ଟ ୧ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସ୍‌ସି-ଏସ୍‌ଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଯେଉଁ ରାୟ ପ୍ରଦାନ କରିଛନ୍ତି, ତାହା ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ; ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ରାୟକୁ ତୀବ୍ର ବିରୋଧ କରାଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ସମ୍ପ୍ରତି ଏସ୍‌ସି-ଏସ୍‌ଟିମାନଙ୍କ ସଠିକ୍ ସାମାଜିକ, ଆର୍ଥିକ, ଶିକ୍ଷାଗତସ୍ଥିତିକୁ ଆକଳନ ନକରି ତଥା ଏହି ବର୍ଗର ସୁରକ୍ଷା ନିମନ୍ତେ ଅଭିପ୍ରେତ ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଏପରି ଏକ ରାୟ ପ୍ରଦାନ କରିଥିବାରୁ ଯଥାଶୀଘ୍ର ଏହା ପୁନର୍ବିଚାର କରନ୍ତୁ ବୋଲି ସଂଗଠନଗୁଡ଼ିକ ପକ୍ଷରୁ ଦାବୀ କରାଯାଇଛି ।ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ଏସ୍‌ସି ଓ ଏସ୍‌ଟିବର୍ଗ ମଧ୍ୟରେ ବିଭିନ୍ନ ଜାତିକୁ ଉପଶ୍ରେଣୀରେ ବିଭକ୍ତୀକରଣ କରାଯିବା ଓ ଉଚ୍ଚଆୟଯୁକ୍ତ ପରିବାରଗୁଡ଼ିକୁ ସଂରକ୍ଷଣରୁ ବାଦ୍ ଦେବାକୁ ରାୟ ଦେଇଛନ୍ତି । ଏହି ରାୟ ପ୍ରଦାନ ପୂର୍ବରୁ ଜାତୀୟ ଅନୁସୂଚିତ ଜାତି କମିଶନ, ଜାତୀୟ ଅନୁସୂଚିତ ଜନଜାତି କମିଶନ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତର ମହାପଞ୍ଜିକରଣ ଓ ଜନଗଣନା କମିଶନ ଆଦି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକର ପରାମର୍ଶ କରିନାହାଁନ୍ତି । ଏସ୍‌ସି-ଏସ୍‌ଟି ବର୍ଗର ଯୁବକମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଏହିବର୍ଗର ଭୂମିହୀନ, ବାସହୀନ, ଉପାର୍ଜନ କ୍ଷମତା ଓ ଆର୍ଥିକ ସ୍ଥିତି, ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଆଦିର ପରିସଂଖ୍ୟାନକୁ ସୁପ୍ରିମକୋର୍ଟ ବିଚାରକୁ ନେଇନାହାଁନ୍ତି ।ଅପରପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏପର୍ଯ୍ୟନ୍ତ ସମସ୍ତ ସଂରକ୍ଷିତ ସ୍ଥାନ ପୂରଣ ହୋଇପାରୁ ନଥିଲା ବେଳେ ଏହି ରାୟ ଆଧାରରେ ସଂରକ୍ଷଣରୁ ବାଦି ଦିଆଗଲେ ଅଧିକରୁ ଅଧିକ ପଦବୀ ଓ ସ୍ଥାନ, ଅଣସଂରକ୍ଷିତବର୍ଗ ହାତେଇ ନେବେ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି । ଦେଶରେ ଜାତି ଆଧାରରେ ଭେଦଭାବ ଓ ନିର୍ଯ୍ୟାତନା ଘଟଣା ବଢି ଚାଲିଥିବା ବେଳେ, ସୁପ୍ରିମକୋର୍ଟ ଏହି ରାୟରେ ଉଚ୍ଚଆୟଯୁକ୍ତ (କ୍ରିମି ଲେୟାର) ଅନୁସୂଚିତ ବର୍ଗର ବ୍ୟକ୍ତିମାନେ ଅସ୍ପୃଶ୍ୟତାରୁ ମୁକ୍ତି ପାଇଥାନ୍ତି ବୋଲି ବିବେଚନା କରିବା ଚିନ୍ତାଜନକ ଓ ସାମାଜିକ ସ୍ଥିତିର ସଠିକ୍ ବିଶ୍ଲେଷଣ ନୁହେଁ ।ଏସବୁକୁ ଦୃଷ୍ଟିରୁ ସୁପ୍ରିମକୋର୍ଟ ସ୍ୱତଃ ଆଉ ଏକ ବୃହତ୍ତର ସାମ୍ବିଧାନିକ ବେଞ୍ଚ ଗଠନ କରି ତାଙ୍କ ରାୟର ପୁନର୍ବିଚାର କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ତୁରନ୍ତ ଅଧ୍ୟାଦେଶ ଜାରି କରିବାକୁ ଦାବି କରାଯାଇଛି । କେନ୍ଦ୍ର ସରକାର ଏପରି ଏକ ତ୍ରୁଟିପୂର୍ଣ୍ଣ ବିଚାରକୁ ବିରୋଧ ନ କରି ଆଟର୍ଣ୍ଣ ଜେନେରାଲ ଓ ସୋଲିସିଟର ଜେନେରାଲ ଏହା ସମର୍ଥନରେ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବା ସରକାରଙ୍କ ଏସ୍‌ସି-ଏସ୍‌ଟି ବିରୋଧି ମନୋଭାବ ପ୍ରଦର୍ଶନ କରୁଅଛି । ପରବର୍ତ୍ତୀ ସମୟରେ “କ୍ରିିମି ଲେୟାର” ବ୍ୟବସ୍ଥା ଲାଗୁ କରାଯିବ ନାହିଁ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା କୁହାଯିବା ପ୍ରତାରଣାପୂର୍ଣ୍ଣ ଅଟେ । କାରଣ ସୁପ୍ରିମକୋର୍ଟଙ୍କ ରାୟକୁ କେବଳ ଅଧ୍ୟାଦେଶ କିମ୍ବା ସଂସଦରେ ଆଇନ ପାରିତ କରି ଅକାମୀ କରାଯାଇ ପାରିବ ନଚେତ୍ ଏହାର ପୁନର୍ବିଚାର କରାଯାଇ ପାରିବ । ରେଳମନ୍ତ୍ରୀଙ୍କ ପ୍ରେସ୍‌ବାର୍ତ୍ତା ଏସ୍‌ସି-ଏସ୍‌ଟି ସମାଜକୁ ଭ୍ରମିତ କରିବା ଉଦ୍ଦେଶ୍ୟରେ କୁହାଯାଇଛି ବୋଲି ସ୍ପଷ୍ଟ ହେଉଛି ।ଏଣୁ ଆସନ୍ତା ୨୧ ଅଗଷ୍ଟରେ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଂଗଠନଗୁଡ଼ିକ ସମର୍ଥନ କରିଛନ୍ତି । ଉକ୍ତ ଦିନ ରାଜ୍ୟରେ ରାଜଧାନୀ ଓ ସମସ୍ତ ଜିଲ୍ଲା ସଦର ମହକୁମା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ପିକେଟିଂ କରାଯିବ ଓ ମହାପ୍ରତିବାଦ ପ୍ରଦର୍ଶନ କରାଯିବ । ରାଜ୍ୟର ସମସ୍ତ ଏସ୍‌ସି-ଏସ୍‌ଟି ସଂଗଠନ, ମାନବ ଅଧିକାର ସଂଗଠନ, ଗଣ ସଂଗଠନ, ଶ୍ରମିକ ସଂଗଠନ, ମୋଟର ଯାନ ଆସୋସିଏସନ, ବଜାର କମିଟି, କର୍ମଚାରୀ ସଂଘ ଆଦି ଏହି ଭାରତ ବନ୍ଦକୁ ସମର୍ଥନ କରିବାକୁ ଓ ମହାପ୍ରତିବାଦରେ ସାମିଲ୍ ହେବାକୁ ନିବେଦନ କରାଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ, ରାଷ୍ଟ୍ରୀୟ ଦଳିତ ଆଦିବାସୀ ଫୋରମର ରାଜ୍ୟ ସଭାପତି ଲିଟୁ ଦାସ, ୟୁନାଇଟେଡ଼ ମୂଳନିବାସୀ ଫୋରମର ମନୋରଞ୍ଜନ ଜେନା, ରାଜ୍ୟ ଅନୁସୂଚିତ ଜାତ, ଜନଜାତି ଅଧିବକ୍ତା ସଂଘର ଆଡଭୋକେଟ ଲଳିତ କୁମାର ନାଏକ, ଏକତା ପରିଷଦର ରବି ସେଠୀ, ତଥା ଅନ୍ୟାନ୍ୟ ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ