ରାଜଧାନୀରେ ନବୀନ ନଗରକୁ କବେ ହେବ ରାସ୍ତା ବିଏମ୍ସି ଚୁପ୍
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜଧାନୀର ପୋଖରୀପୁଟ ଅନନ୍ତ ବିହାର ନିକଟ ନବୀନ ନଗର କଲୋନୀକୁ ରାସ୍ତା ନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଥି ପାଇଁ ଅନୁମତି ମିଳିଥିଲେ ମଧ୍ୟ ବିଏମ୍ସିର ଅବହେଳା ଯୋଗୁଁ ରାସ୍ତା କାମ ଅଧାରେ ପଡ଼ିରହିଛି । ନବୀନ ସରକାରରେ ନବୀନ ନଗର କଲୋନୀ ସମସ୍ୟା ତୁରନ୍ତ ସମାଧାନ ପାଇଁ ଲୋକମାନେ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୋଖରୀପୁଟ ଅନନ୍ତନଗର ନିକଟରେ ରହିଛି ନବୀନ ନଗର । ଏହି ନଗରକୁ ରହିଥିବା ରାସ୍ତାର ଜମି ସାଧାରଣ ପ୍ରଶାସନ ଅଧୀନରେ ରହିଛି । ଏହି ରାସ୍ତାର ଜମି ବିଏମ୍ସିକୁ ହସ୍ତାନ୍ତର ପାଇଁ ସ୍ଥାନୀୟ ଲୋକ ସାଧାରଣ ପ୍ରଶାସନ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସାଧାରଣ ପ୍ରଶାସନ ଏଥି ପାଇଁ ଜମିକୁ ସର୍ଭେ କରି ଗତ ୨୦୧୯ ମସିହା ଡ଼ିସେମ୍ବର ମାସରେ ବିଏମ୍ସିକୁ ଅନୁମତି ପ୍ରଦାନ କରିଥିଲେ । ତେବେ ବିଏମ୍ସି ପକ୍ଷରୁ ଏହି ରାସ୍ତା ପୁନର୍ବାର ସର୍ଭେ ପାଇଁ ବିଏମ୍ସି ଜୋନାଲ କାର୍ଯ୍ୟାଳୟକୁ ପଠାଯାଇଥିଲା । ସେଠାରେ ରହୁଥିବା ସ୍ଥିତିବାନ ଜମିର ମାଲିକଙ୍କ ଉପସ୍ଥିତିରେ ବିଏମ୍ସି ପକ୍ଷରୁ ସର୍ଭେ ହେବା ପରେ ଜୋନାଲ ଡ଼େପୁଟି କମିଶନର ଏହାର ଚିଠି ବିଏମ୍ସି ଡ଼େପୁଟି କମିଶନରଙ୍କ ପାଖକୁ ପଠାଇ ଦେଲେ । ତେବେ ଏହାର ୬ ମାସ ବିତି ଯାଇଥିଲେ ମଧ୍ୟ ଫାଇଲ୍ ଖୋଲୁନାହିଁ । କେବଳ ବିଏମ୍ସି ଡେପୁଟି କମିଶନର ନିଜର ମତ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଲେ ରାସ୍ତା ପାଇଁ ଜମିଟି ବିଏମ୍ସିକୁ ହସ୍ତାନ୍ତର ହୋଇପାରିବ । ଯାହା ଫଳରେ ନବୀନ ନଗର କଲୋନକୁ ରାସ୍ତା ହେବାକୁ ସୁବିଧା ହେବ । ତେବେ ଏହା ଫାଇଲ୍ରେ ଚାପି ହୋଇ ରହିଛି । ତେଣୁ କର୍ତ୍ତୃପକ୍ଷ ଏହି ମାଟି ରାସ୍ତାକୁ ସୁଗମ ରାସ୍ତା କରିବାକୁ ଦାବି କରାଯାଇଛି ।


