ରାଜଧାନୀରେ ବିଷ ବ୍ୟବସାୟ : କୋଟିଏ ଟଙ୍କାର ସାପ ବିଷ ଜବତ; ୬ ଗିରଫ
ଭୁବନେଶ୍ୱର (ୱାଇଏନ୍ଏସ୍): ବନ ବିଭାଗର ୪ଟି ଟିମ୍ ଆଜି ରାଜଧାନୀରୁ ୪ ଜଣଙ୍କ ନିକଟରୁ ମୋଟ ୧.୬ ଲିଟର ସାପ ବିଷ ଜବତ କରିଛି । ଜବତ ଏହି ସାପ ବିଷର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି। ଅଭିଯୁକ୍ତମାନେ ହେଲେ, ବାଲେଶ୍ୱର ସଭରମ୍ପୁରର କୃଷ୍ଣଙ୍କର ପଢ଼ିଆରୀ(୩୦), ଜଳେଶ୍ୱରର ସଂଜୟ ମହାନ୍ତି(୪୩) ଓ ବାଲିଆର ଜୟସ୍ମିତା ନାୟକ(୫୦), ବରଗଡ଼ ସୋହେଲାର ବିଶ୍ୱ ପ୍ରଧାନ(୩୦), ବଲାଙ୍ଗୀରର ସୂରଜ କୁମାର ଦାଶ(୨୧) ଏବଂ ଅନୁଗୁଳ ଲିଙ୍ଗରାଜ ଯୋଡ଼ିର ଶ୍ୟାମଳେନ୍ଦୁ ନାୟକ। ତେବେ ଏହି ରାକେଟ୍ର ଅନ୍ୟ ଜଣେ ସଦସ୍ୟ ତଥା ମାଷ୍ଟରମାଇଣ୍ଡ ସତ୍ୟନାରାୟଣ ଦାଶ ଫେରାର୍ ହୋଇଯାଇଥିବା ଜଣାଯାଇଛି। ତା’ ଘର ବଲାଙ୍ଗୀରରେ ଓ ସେ ଅଭିଯୁକ୍ତ ସୂରଜର ବାପା ବୋଲି ଜଣାଯାଇଛି। ତେବେ ଏହି ସାପ ବିଷ କିଏ ଓ କାହାକୁ ବିକ୍ରି କରିବା ପାଇଁ ଆଣିଥିଲା, ତାହା ଜଣାପଡ଼ିନାହିଁ। ଏନେଇ ବନ ବିଭାଗ ଅଧିକ ତଦନ୍ତ ଚଳାଇଛି। ରାଜ୍ୟରେ ସାପ ବିଷ ସଂଗ୍ରହ କରିବା କିମ୍ବା କିଣାବିକା କରିବା ସଂପୂର୍ଣ୍ଣ ନିଷେଧ ତଥା ବେଆଇନ। ତେବେ ଏକା ସାଙ୍ଗରେ ଏତେ ମାତ୍ରାରେ ସାପ ବିଷ ଜବତ ହେବା ଘଟଣାରୁ ଜଣାପଡ଼ୁଛି ଯେ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଛି।


