ରାଜ୍ୟରେ ୧୨ ହଜାରରୁ ଉର୍ଦ୍ଧ୍ୱ ଶିଶୁ ଥାଲାସେମିଆ ରୋଗରେ ପୀଡ଼ିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ ରାଜ୍ୟ ଓଡ଼ିଶାରେ ୧୦ରୁ ୧୨ ହଜାର ଶିଶୁ ଥାଲାସେମିଆ ରୋଗରେ ପୀଡ଼ିତ । ବିଶେଷକରି କଟକ, ବାଲେଶ୍ୱର ଜିଲ୍ଲାରେ ଏହାର ସଂଖ୍ୟା ସର୍ବାଧିକ ରହିଛି । ପଶ୍ଚିମ ଓଡ଼ିଶାରେ ସିିକିଲ୍ସେଲ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବି କମ୍ ନୁହେଁ ବୋଲି ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍, ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଏବଂ ଏଚ୍ଡ଼ିଏଫ୍ସି ବ୍ୟାଙ୍କ, ସିଟିଏସ୍ ଇନ ୱାର୍ଡ଼ କ୍ଲିଅରିଂର ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିିବିରରେ ଏହି ମତପ୍ରକାଶ ପାଇଛି । ଅଧିକାଂଶ ସମୟରେ ରାଜ୍ୟରେ ରହିଥିବା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଥାଏ । ଯଦ୍ୱାରା ଅନେକ ଥାଲାସେମିଆ ଶିଶୁମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଅଭାବକୁ ଦୂର କରିବା ଲାଗି ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ଚିତ୍ରଶିଳ୍ପୀ ଏବଂ ପାଖରେ ରହିଥିବା ଗ୍ରାମର ଯୁବକ, ଯୁବତୀମାନେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ । ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬୫ ବର୍ଷୀୟ ରକ୍ତବୀର ଗୋପୀମୋହନ ପଟ୍ଟନାୟକଙ୍କୁ ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଉତ୍ତରୀୟ, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀ ପଟ୍ଟନାୟକ ତାଙ୍କ ଜୀବନକାଳ ମଧ୍ୟରେ ୧୬୭ଥର ରକ୍ତଦାନ କରିବା ସହ ୧୯ଥର ପ୍ଲେଟ୍ଲେଟ୍ ଦାନ କରି ସାରିଛନ୍ତି । ଶିବିରକୁ ଆନୁଷ୍ଠାନିକ ରୂପେ ବ୍ଲଡ଼ବ୍ୟାଙ୍କର ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଏନ୍ଏସ୍ଏସ୍ର ପ୍ରୋଗ୍ରାମ ଅଫିସର ଚନ୍ଦନ କୁମାର ସାମଲ, ଏଚ୍ଡ଼ିଏଫ୍ସି ବ୍ୟାଙ୍କ, ସିଟିଏସ୍ ଇନ ୱାର୍ଡ଼ କ୍ଲିଅରିଂର ପ୍ରୋସେସିଂ ଅଫିସର ଜୀବନଜ୍ୟୋତି ବେହେରା ସାମାଜିକ କର୍ମୀ ସୁଶାନ୍ତ ସାହୁ, ମନୋଜ କୁମାର ପ୍ରଧାନ, ଚନ୍ଦ୍ରଶେଖର ପାଲ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରକୁ ଲକ୍ଷ୍ମୀଧର ସ୍ୱାଇଁ, ଏବଂ ଅଧ୍ୟାପକ ମାନସ ରଞ୍ଜନ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


