ରାଜ୍ୟସଭା ଲଢିବେ ଦେବଗୌଡ଼ା

ବେଙ୍ଗାଲୁରୁ: ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ପ୍ରତିଷ୍ଠାତା ଏଚ୍‌ଡି ଦେବଗୌଡ଼ା । ସେ କର୍ଣ୍ଣାଟକରୁ ସଂସଦର ଉଚ୍ଚ ସଦନକୁ ଯିବାକୁ ଚେଷ୍ଟା କରିବେ। ପୂର୍ବରୁ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ ହେଁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ସେ ଏହି ପରାଜୟ ପରେ ଆଉ ସଂସଦକୁ ଯିବେନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅନୁରୋଧକ୍ରମେ ଦେବଗୌଡ଼ା ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଦେବଗୌଡ଼ାଙ୍କ ପୁଅ ତଥା ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କୁ ଜେଡିଏସ୍‌ର ବିଧାୟକ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଜୀ ଓ ଅନେକ ଜାତୀୟ ସ୍ତରର ନେତା ଅନୁରୋଧ କରିଥିଲେ। ସମସ୍ତଙ୍କ କଥାକୁ ସମ୍ମାନ ଜଣାଇ ଦେବଗୌଡ଼ା ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ଆସନ୍ତାକାଲି ସେ ନାମାଙ୍କନ ଦାଖଲ କରିବେ। ସମସ୍ତଙ୍କ ଅନୁରୋଧ ରକ୍ଷା କରିଥିବାରୁ ଦେବଗୌଡ଼ାଜୀଙ୍କୁ ବହୁତ ବହୁତ ଧନ୍ୟବାଦ।” ଜୁନ୍‌ ୧୯ରେ କର୍ଣ୍ଣାଟକାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ୩ୟ ଆସନ ପାଇଁ ବିତର୍କ ଚାଲିଛି। କଂଗ୍ରେସ ପାଖରେ ୬୮ ଜଣ ବିଧାୟକ ରହିଛନ୍ତି। ଫଳରେ ଦଳ ନିଶ୍ଚିତ ଭାବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ କରାଇପାରିବ। ଏହି ଆସନ ପାଇଁ ଦଳ ମଲ୍ଲିକାର୍ଜୁନ ଖାଡଗେଙ୍କୁ ମନୋନୀତ କରିଛି। ସେ ପ୍ରଥମଥର ପାଇଁ ରାଜ୍ୟସଭାକୁ ଯିବେ। ଏହାବାଦ୍‌ ଆଉ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଦଳ ପାଖରେ ଅତିରିକ୍ତ ଭୋଟ ରହିଛି। ତେଣୁ ଜେଡିଏସ ସମର୍ଥନରେ କଂଗ୍ରେସ ଦେବଗୌଡ଼ାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚାହୁଁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ