ରାମଚନ୍ଦ୍ରପୁର ପଞ୍ଚାୟତ ଦୁର୍ନୀତିର ତଦନ୍ତ ଆରମ୍ଭ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେବା ନେଇ ସିପିଆଇ ପକ୍ଷରୁ ଗତ ୯ ତାରିଖରେ ବ୍ଲକ ସମ୍ମୁଖରେ ଅନଶନ ହୋଇଥିଲା । ୩ ଦିନ ଧରି ଅନଶନ ଚାଲିବା ପରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଡି.ଆର.ଡି.ଏ) ଅନଶନସ୍ଥଳରେ ପହଞ୍ôଚ ୭ ଦିନ ମଧ୍ୟରେ ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଫଳସ୍ୱରୂପ ଗତ ୧୯ ତାରିଖ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଗଠିତ ଏକ ତଦନ୍ତକାରୀ ଦଳ ରାମଚନ୍ଦ୍ରପୁର ପଞ୍ଚାୟତକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସାନବର୍ଚ୍ଚିକୟାଁ ଗ୍ରାମର ଭାଗିରଥି ଯେନା ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି ନକରି ସେହି ଗ୍ରାମର ଶମ୍ଭୁନାଥ ଯେନାଙ୍କ ଘରକୁ ତାଙ୍କ ଘର ବୋଲି ଚିହ୍ନଟ କରିବା ସମୟରେ ଏହା ଭାଗିରଥିଙ୍କର ଘର ନୁହେଁ ବୋଲି ଗ୍ରାମର କେତେକ ଲୋକ ପ୍ରକାଶ କରିଥିଲେ । ସେହିଭଳି ନିମାପଡା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବାରିକ ଘର ନକରି ସୁରେଶ ବାରିକଙ୍କ ଘରକୁ ଦେଖାଇଥିଲେ । ରାମଚନ୍ଦ୍ରପୁର ଆର.ଡି.ରାସ୍ତା ଠାରୁ କେଶବ ନାୟକ ଘର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାକୁ ଆର.ଆଇ ତଦନ୍ତ ବେଳେ ଏହା ସରକାରୀ ଜାଗା ନୁହେଁ ବୋଲି ଚିହ୍ନଟ କରିଥିଲେ । ନିମାପଡା ଗ୍ରାମର ନୃସିଂହ ଯେନା ଘର ନକରି ମାୟାଧର ଯେନାଙ୍କ ଘରକୁ ଦେଖାଇ ନିଜ ଘର ବୋଲି ଚିହ୍ନଟ କରିଥିଲେ । ନିମାପଡା ଖେଳପଡିଆରେ ବିନା ଫଳକ ଓ ବିନା କାର୍ଯ୍ୟରେ ଅର୍ଥ ବିଲ୍ କରାଯାଇଥିବା ନେଇ ତଦନ୍ତରୁ ଜଣାପଡିଛି । ଦୁର୍ନୀତିରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିପିଆଇ ପକ୍ଷରୁ ଦାବୀ କରାଯାଇଛି ।


