ରାସନ କାର୍ଡ ଖଣ୍ଡେ ପାଇବା ପାଇଁ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି ଗରିବ ହିତାଧିକାରୀ

*ଅର୍ଥ ଅଭାବରୁ ଏକମାତ୍ର ଝିଅ ନାମ ଲେଖାଇ ପାରିଲାନି*
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଯୋଗ୍ୟ ହିତାଧିକାରୀମାନେ ଯେଭଳି ରାଜ୍ୟ ସରକାରଙ୍କ କୌଣସି ଯୋଜନାରୁ ବଂଚିତ ହେବେ ନାହିଁ ସେଥିପାଇଁ ବ୍ଳକ ପ୍ରଶାସନ ହେଉ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସମୟ ସମୟରେ ବିଭିନ୍ନ ପ୍ରକାର ସଚେତନ ସଭା ସମିତି କରାଯାଉଛି। ତଥାପି ଦାୟିତ୍ୱରେ ଥିବା କିଛି କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଅନେକ ଯୋଜନାରେ ସାମିଲ୍ ହୋଇ ପାରୁନାହାନ୍ତି। ବର୍ଷ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନାହିଁ। କେବଳ ମିଳିଛି ନିର୍ଭର ପ୍ରତିଶୃତି। ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ଗ୍ରାମରୁ। ସାଡିଙ୍ଗିଆ ହାଟପଦା ସାହିରେ ରମେଶ ପୃଷ୍ଟି ନାମକ ଜଣେ ବ୍ୟକ୍ତି ଏକ ଛୋଟିଆ ଜଳଖିଆ ଦେକାନ କରି ନିଜର ପରିବାର ପୋଷଣ କରିଆସୁଛନ୍ତି। ପରିବାର କହିଲେ ଚାରି ପ୍ରାଣୀ କୁଟୁମ୍ବ ଏକ ଚାଳ ଘରେ ୩୦ ବର୍ଷ ହେବ ରହି ଆସୁଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପାରିନାହିଁ। ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ରାସନକାର୍ଡ ଖଣ୍ଡିଏ ପାଇବା ପାଇଁ ଲିଖିତ ଭାବରେ ଜଣେଇଛନ୍ତି କିନ୍ତୁ କିଛି ଫଳ ମିଳିନାହିଁ। ରାସନ କାର୍ଡ ପାଇଁ ସାଡିଙ୍ଗିଆ ଯୋଗାଣ ସହାୟକଙ୍କ ପାଖରେ ଗୁହାରି କଲେ ଯୋଗାଣ ସହାୟକ ଜଣକ ହାତଗୁଞ୍ଜା ମାଗୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ହିତାଧିକାରୀ। ଏହି ଗରିବ ହିତାଧିକାରୀଙ୍କ ପାଇଁ ନିଜେ ସରପଞ୍ଚ ନିରସ୍ତମ କହଁର ବହୁବାର ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅବଗତ କରିଛନ୍ତି କିନ୍ତୁ ଫଳ କିଛି ମିଳିନାହିଁ ବୋଲି ନିଜେ ସରପଞ୍ଚ ଅଭିଯୋଗ କରିଛନ୍ତି। ସବୁଠୁ ବଡ କଥାହେଲା ବହୁ ସମସ୍ୟାରେ ଜୀବନ ଯାପନ କରୁଥିବା ଏହି ହିତାଧିକାରୀ ଜଣକ ଅର୍ଥ ଅଭାବରୁ ଗତ ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ନିଜର ଏକ ମାତ୍ର ଝିଅକୁ ମଧ୍ୟ କଲେଜରେ ନାମ ଲେଖାଇ ପାରିନାହାନ୍ତି । ସଂପୃକ୍ତ ହିତାଧିକାରୀଙ୍କ ସମ୍ପର୍କରେ ଯୋଗାଣ ଅଧିକାରୀ ବାଳକୃଷ୍ଣ ନାୟକଙ୍କୁ ପଚାରିବାରେ ବହୁ ଦିନ ଆଗରୁ ତାଙ୍କର ରାସନ କାର୍ଡ ଥିଲା। କୌଣସିକାରଣ ବଶତଃ ତାହା କଟି ଯାଇଛି। ଆଗକୁ ଆଲଟମେଣ୍ଟ ଆସିଲେ ତାଙ୍କର ରାସନକାର୍ଡ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ କେବେ ସାମିଲ୍ କରାଯାଉଛି ସରକାରଙ୍କ ରାସନକାର୍ଡ ଯୋଜନାରେ। ତେବେ ରମେଶଙ୍କ ଠାରୁ ବହୁ ଥିଲାବାଲା ଲୋକ ରାସନକାର୍ଡ଼ ସହିତ ବିଭିନ୍ନ ଯୋଜନାରେ ନିଜକୁ ସାମିଲ୍ କାରି ବେଶ୍ ଲାଭବାନ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ରମେଶଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ଅଣଦେଖା କରାଯାଇଛି ତାହା ନିଶ୍ଚିତ ଭାବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ