ରାସ୍ତାକଡ଼ରେ ଦୀପାବଳି ବଜାର ଦୀପ, କାଉଁରିଆ କାଠି ଓ ଫୁଲର ପସରା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାତି ପାହିଲେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଦୀପର ସମାହାର.. .. ଆଲୋକର ପର୍ବ.. .. ଆତସବାଜି ଫୁଟାଇବାର ବେଳ । ହେଲେ ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟା ହେବନି । ସରକାର କଟକଣା ଜାରି କରିଛନ୍ତି । ତେଣୁ ଲୋକେ ପାରମ୍ପରିକ ଦୀପାବଳି ପାଳନ ସକାଶେ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି । ମାଟି ଦୀପ ଜାଳିବା ପାଇଁ କିଣୁଛନ୍ତି । ବଡ଼ବଡ଼ୁଆ ଡ଼ାକ ପାଇଁ କିଣି ନେଉଛନ୍ତି କାଉଁରିଆ କାଠ । ଖାସ୍ ସେଥିଲାଗି ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବଜାର କଡ଼ରେ ଗଢି ଉଠିଛି ଦୀପାବଳି ବଜାର । ଦୀପ, କାଉଁରିଆ କାଠି, ଆଖୁ, ଫୁଲ ଆଦି ସାମଗ୍ରୀର କିଣାବିକା ଜୋର ଧରିଛି । ଦୀପାବଳି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ବଡ଼ବଡ଼ୁଆ ଡ଼ାକ ବିଧି ପାଳନ କରାଯାଇଥାଏ । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳବାସୀ ଦୀପାବଳି ପର୍ବ ପାଳନ ସକାଶେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦୀପାବଳି ପାଳନ ସକାଶେ ଜୋର ଧରିଛି ବ୍ୟବସାୟ । ଆଖୁ, କାଉଁରିଆ କାଠ, ଫୁଲ, ବାଳୁଙ୍ଗା, ବୋତିନଇ ଆଦି ପୂଜା ସାମଗ୍ରୀ ସମେତ ପୋଷାକ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି । ଗତ ଦୁଇ ଦିନ ଧରି ପାଗ ମେଘୁଆ ରହିଥିବାରୁ ବ୍ୟବସାୟ ଜୋର ଧରିନଥିବା ବେଳେ ଶୁକ୍ରବାର ପାଗ ମୁଖ୍ୟତଃ ଶୁଖିଲା ରହିଥିବାରୁ ବେପାର ଆଶନୁରୁପକ ହୋଇଥିବାର ଜଣାପଡ଼ିଛି । ଗୋଟିଏ ଆଖୁ ପିଛା ଦର ୧୫ରୁ ୨୦ଟଙ୍କା ରହିଥିବା ବେଳେ କାଉଁରିଆ କାଠି ୪ଟିକିଆ ବିଡ଼ା ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଛୋଟ ଓ ବଡ଼ ଆକୃତିର ଦୀପର ଚାହିଦା ବେଶ ରହିଛି । ଦୀପ ଗୋଟାକୁ ଏକ ଟଙ୍କାରୁ ଆରମ୍ଭ କରି ଗୋଟାକୁ ୧୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସ୍ଥାନୀୟ ପୌରାଂଚଳର ଲକ୍ଷ୍ମୀ ବଜାର, ବସ ଟର୍ମିନାଲ, ଅସ୍ଥାୟୀ ବସଷ୍ଟାଣ୍ଡ, କଲେଜ ରୋଡ଼, ବଇଁଚବଣିଆ ଛକ, ଘୋଡ଼ାହାଡ଼ ସେତୁ ନିକଟରେ ମାଟି ଦୀପ ସହ ପୂଜା ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାର ଗଢି ଉଠିଛି । ବଜାରରେ ବାଣ ବିକ୍ରି ବନ୍ଦ ରହିଥିବାରୁ ମାଟି ଦୀପ ସହ ଫ୍ୟାନ୍ସି ଦୀପର ଚାହିଦା ମଧ୍ୟ ବେଶ ଭଲ ରହିଛି । ବିଭିନ୍ନ ଡ଼ିଜାଇନର ଦୀପ ସହ ମହମବତୀ ଓ ରଙ୍ଗବେରଙ୍ଗ ଆଲୋକମାଳରେ ଘରକୁ ସୁସଜ୍ଜିତ କରିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଥିବାର ଦେଖିବାକୁ ମିଳୁଛି ।


